ଆୟତକୁ ଆସୁନି ଜଙ୍ଗଲ ନିଆଁ, ବର୍ଷା ନହେଲେ ତାତିରେ ଜଳିବ ଓଡ଼ିଶା
ଜଙ୍ଗଲ ନିଆଁ ବ୍ୟାପୁଥିବାବେଳେ କାମ ଦେଉନି ସଚେତନତା । ଜଙ୍ଗଲକୁ ଜଙ୍ଗଲ ମାଡିଚାଲିଛି । ଆଗକୁ ଯଦି ବର୍ଷା ନହୁଏ ଭୟଙ୍କର ହେବ ପରିସ୍ଥିତି । ତେଣୁ ଚିନ୍ତାରେ ପଡିଛନ୍ତି ଜଙ୍ଗଲ ବିଭାଗ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ।
ଗଣମାଧ୍ୟମକୁ ପିସିସିଏଫ ଜଣାଇଛନ୍ତି, ୨୦୨୧ରେ ରାଜ୍ୟରେ ଜଙ୍ଗଲ ନିଆଁ ବେଶି ଦେଖିବାକୁ ମିଳିଥିଲା । ହେଲେ ୨୦୨୨ରେ ଏ ସଂଖ୍ୟା ବହୁ ମାତ୍ରାରେ କମିଥିଲା । କାରଣ ମଝିରେ ମଝିରେ ବର୍ଷା ଥିଲା । ହେଲେ ଚଳିତବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି । ଢେର୍ ଦିନ ବର୍ଷା ନଥିବାବେଳେ ଏବେଠାରୁ ଗରମ ବଢ଼ିଲାଣି । ପତ୍ର ଝଡ଼ା ଥିବାରୁ ନିଆଁ ବ୍ୟାପି ଯାଉଛି । ଅନେକ ଜାଗାରେ ମନୁଷ୍ୟକୃତ କାରଣରୁ ନିଆଁ ଲାଗୁଛି । ବର୍ତ୍ତମାନ ଦିନକୁ ୧୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗୁଛି । ପାଗରେ ପରିବର୍ତ୍ତନ ହେଲେ ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ସଂଖ୍ୟା ବଢ଼ିବ ।
ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଆମେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ। ବନ ବିଭାଗ କର୍ମଚାରୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସାମଗ୍ରୀ ଧରି ନିଆଁ ଲିଭାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଜିଲ୍ଲାସ୍ତରରେ ଯୋଜନା ପ୍ରସ୍ତୁତ କରି ରଖିଛୁ। ଗାଁ ଗାଁରେ ଲୋକଙ୍କୁ ସଚେତନ କରାଉଛୁ। ଜଙ୍ଗଲରେ ଯେପରି ମନୁଷ୍ୟକୃତ ନିଆଁ ନ ଲାଗେ ସେଥିପ୍ରତି ଗୁରୁତ୍ବ ଦେବାକୁ କହୁଛୁ। ବାଲିଗୁଡ଼ା, ଫୁଲବାଣୀ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ଥିବାରୁ ଏହି ଜଙ୍ଗଲଗୁଡ଼ିକ ଉପରେ ଉପରେ ନଜର ରଖିଛୁ ବୋଲି କହିଛନ୍ତି ପିସିସିଏଫ୍ ।
ଅକ୍ଟୋବରରୁ ଓଡ଼ିଶାରେ ବର୍ଷା ଗାଏବ :
ଅକ୍ଟୋବର ମାସର ଶେଷ ପରଠୁ ଓଡ଼ିଶାରେ ଭଲ ବର୍ଷା ହୋଇନାହିଁ । ମାଟି ଶୁଖି ରହିଥିବାବେଳେ ବର୍ତ୍ତମାନ ଜଙ୍ଗଲରେ ପତ୍ର ଝଡ଼ା ଅବସ୍ଥା ରହିଛି । ପତ୍ର ସବୁ ତଳେ ପଡ଼ିଥିବାବେଳେ ମାଟି ଶୁଖିଲା ରହିଛି । ଏଭଳି ସ୍ଥିତିରେ ନିଆଁ ଲାଗିଲେ ବ୍ୟାପିବା ସମ୍ଭାବନା ଅଧିକ । ଏ ବର୍ଷ ଫେବ୍ରୁଆରୀରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବା ସମ୍ଭାବନା ଥିବାବେଳେ ଗରମ ବଢ଼ିବ । ଯଦି ବର୍ଷା ନହୁଏ ପରିସ୍ଥିତି ଆହୁରି ବିଗିଡିବ ।
ସାଟେଲାଇଟରେ ଓଡ଼ିଶାର ଜଙ୍ଗଲ ଚିତ୍ର ଚିନ୍ତାଜନକ :
ନାସା ସାଟେଲାଇଟ ଚିତ୍ରରେ ଓଡ଼ିଶାର ଜଙ୍ଗଲ ଜଳିବା ନେଇ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା ଚିନ୍ତାଜନକ । ଗତ ଜାନୁଆରୀ ୩୦ରୁ ଏଯାବତ୍ ରାଜ୍ୟରେ ଛୋଟ ବଡ଼ କରି ପ୍ରାୟ ୬୪୩ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି । ଏହା ଦେଶରେ ସର୍ବାଧିକ । ଗତ ସପ୍ତାହରେ ଜଙ୍ଗଲ ନିଆଁରେ ୧ ନମ୍ବର ଥିବା କର୍ଣ୍ଣାଟକ ଇତିମଧ୍ୟରେ ୩ ନମ୍ବରକୁ ଖସିଗଲାଣି । ମାତ୍ର ଓଡ଼ିଶା ୧ ନମ୍ବରକୁ ଆସିବା ପରଠୁ ଆଉ ଖସୁନି । ଜଙ୍ଗଲ ନିଆଁରେ ଅନ୍ୟ ରାଜ୍ୟ ମଧ୍ୟରେ ମଣିପୁର ଦ୍ୱିତୀୟରେ ଥିବାବେଳେ ଚତୁର୍ଥରେ ମଧ୍ୟପ୍ରଦେଶ, ପଞ୍ଚମରେ ପଶ୍ଚିମବଙ୍ଗ ରହିଛି ।
Powered by Froala Editor