ପୁଣି ୪ଦିନ ରିମାଣ୍ଡରେ ଗୋପାଳ ଦାସ

ଝାରସୁଗୁଡ଼ା: ହାଇପ୍ରୋଫାଇଲ୍ ମନ୍ତ୍ରୀ ନବ କିଶୋର ଦାସ ମର୍ଡର ମିଷ୍ଟ୍ରି ଉନ୍ମୋଚନ କରିବା ଲାଗି ଚାରି ଦିନ ରିମାଣ୍ଡରେ ଥିଲା ଗୋପାଳ ଦାସ । ଜେରାରେ ଅଳ୍ପ କହିଛି, ଲୁଚାଇଛି ଅଧିକ । ତେଣୁ ପୁଣି ୯ ଦିନ ରିମାଣ୍ଡ ମାଗିଥିଲା କ୍ରାଇମବ୍ରାଞ୍ଚ । ପୁଣି କୋର୍ଟ ୪ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି । ୪ ଦିନିଆ ପ୍ରଥମ ପର୍ୟ୍ୟାୟ ରିମାଣ୍ଡ ଶେଷ ହେବା ପରେ ଝାରସୁଗୁଡ଼ା ଜେଏମଏଫ୍ସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଶନିବାର ତାକୁ ହାଜର କରାଇ ପୁଣି ରିମାଣ୍ଡ ଆବେଦନ କରିଥିଲା । ଗତ ଶୁକ୍ରବାର ଗୋପାଳ ବ୍ୟବହାର କରୁଥିବା ଏକ ହ୍ୟୁଣ୍ଡାଇ ଭର୍ନା କାର୍ (ଓଆର୧୫ଏନ ୪୨୬୩)କୁ ଗାନ୍ଧୀଛକ ଫାଣ୍ଡି ପରିସରରେ ଜବତ କରାଯିବା ସହ ଏକ ଡାଏରୀ ଓ ଅନ୍ୟ ମୁଦ୍ରିତ କାଗଜପତ୍ର ଜବତ କରାଯାଇଥିଲା । ହେଲେ କାର୍ଟି ଏବେ ବି ଜଣେ କୋଇଲା ବ୍ୟବସାୟୀଙ୍କ ନାମରେ ଥିବାରୁ ଗୋପାଳଙ୍କ କୋଇଲା ବ୍ୟବସାୟୀଙ୍କ ସହ ଲିଙ୍କ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଜବତ ହୋଇଥିବା କାର୍ଟିର ମାଲିକ ବ୍ରଜରାଜନଗର ଅଞ୍ଚଳର ବିଶିଷ୍ଟ କୋଇଲା ବ୍ୟବସାୟୀ ତଥା ଟ୍ରାନ୍ସପୋର୍ଟର ଅରୁଣ ମୁନ୍ଦଡ଼ା। ଶ୍ରୀ ମୁନ୍ଦଡ଼ାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ୨୦୨୨ ନଭେମ୍ବରରେ ସେ କାର୍ଟିକୁ ଗୋପାଳକୁ ବିକିଥିଲେ । ଏଥିପାଇଁ ଲକ୍ଷେ ଟଙ୍କା ଧାର୍ୟ୍ୟ ହୋଇଥିଲା ଯେଉଁଥିରେ ସେ ୫୦ ହଜାର ଟଙ୍କା ନଗଦ ଦେଇଥିବାବେଳେ ଅବଶିଷ୍ଟ ଟଙ୍କା ଦେଇ ନ ଥିବାରୁ ମାଲିକାନା ହସ୍ତାନ୍ତର ହୋଇ ନଥିଲା । ମାତ୍ର ଗୋପାଳର ବ୍ୟବହାରରେ ଉକ୍ତ କାର୍ଟି ଥିଲା ।
ଗୋପାଳଙ୍କ ସ୍ୱଭାବ ଓ ତା’ ସହ ସମ୍ପର୍କ ବିଷୟରେ ପଚାରିବାରେ ସେ କହିଥିଲେ, ଭଲ ସ୍ୱଭାବର ଲୋକ ଏବଂ ସେ ସେତେ ବେଶୀ ସମ୍ପର୍କରେ ନ ଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦବ୍ଦବା କୋଇଲା କ୍ଷେତ୍ରରେ ରହିଥିଲା । ତାଙ୍କର ନ ଚାହିଁବାରେ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର କେତେକ ଶିଳ୍ପ ସଂସ୍ଥାଗୁଡ଼ିକୁ ଖଣିରୁ କୋଇଲା ପରିବହନ ଏବଂ ଯୋଗାଣ ବ୍ୟବସାୟରେ କେହି ପ୍ରବେଶ କରିବା ସମ୍ଭବ ନଥିଲା । ସେ ଦୃଷ୍ଟିରୁ ଅନେକ କୋଇଲା ଟ୍ରାନ୍ସପୋର୍ଟର ନବଙ୍କ ସହ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ ଥିଲେ । ହେଲେ ନିର୍ଦ୍ଦିଷ୍ଟ କେତେକ ବ୍ୟବସାୟୀ ନବଙ୍କ ଛତ୍ରଛାୟା ତଳେ ସିଂହଭାଗ ଠିକା କାମ ହାତେଇ ଚାଲିଥିବାରୁ ଅନ୍ୟ ଟ୍ରାନ୍ସପୋର୍ଟର ଏବଂ ବ୍ୟବସାୟୀ ଏକ ଅକୁହା ବେଦନା ଭୋଗୁଥିଲେ ।
କୋଭିଡ୍ ମହାମାରୀ କାଳରେ କୋଇଲା ଟ୍ରାନ୍ସପୋର୍ଟ ବ୍ୟବସାୟ ବି ଅନ୍ୟ କ୍ଷେତ୍ର ଭଳି ବହୁଳ ଭାବେ ପ୍ରଭାବିତ ହୋଇଥିଲା । ଅନେକ ଟ୍ରାନ୍ସପୋର୍ଟର କୋଇଲା ବ୍ୟବସାୟରେ କ୍ଷତି ସହିବାରେ ଅସ୍ୱାଭାବିକତା ନାହିଁ । ଅନ୍ୟପକ୍ଷେ କୋଇଲା ବ୍ୟବସାୟୀମାନେ ଠିକା ହାତେଇବା ଲାଗି ନବଙ୍କ ସହାୟତା ନ ପାଇ କ୍ଷୁବ୍ଧ ଏବଂ ଇର୍ଷାନ୍ୱିତ ହୋଇ ଏଭଳି ହତ୍ୟାକାଣ୍ଡ ଭିଆଇବା ଦିଗରେ ଯେ ପଦକ୍ଷେପ ନ ନେଇଥିବେ କିଏ କହିବ! ମାତ୍ର ଏଭଳି ଏକ ପୁରୁଣା କାର୍ ବଦଳରେ ଏତେ ବଡ଼ ଅପରାଧ କରିବାକୁ ଗୋପାଳଙ୍କ ଭଳି ଜଣେ ପୁଲିସ ଏଏସ୍ଆଇ ନିଜ ଜୀବନ ଓ ଚାକିରିକୁ ବାଜି ଲଗାଇବେ ଏକଥା ବିଶ୍ୱାସଯୋଗ୍ୟ ହେଉ ନାହିଁ । ମାତ୍ର କୋଇଲା ବ୍ୟବସାୟୀଙ୍କ ସହ ଗୋପାଳଙ୍କ ସମ୍ପର୍କର ଖୁଲାସା କରୁଛି ଏହି କାର୍ । ଏସବୁ ଦିଗ ପ୍ରତି ବି ଏବେ କ୍ରାଇମବ୍ରାଞ୍ଚ୍ ନିଜ ତଦନ୍ତରେ ଫୋକସ କରୁଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ଗୋପାଳଙ୍କ ଆର୍ଥିକ କାରବାର, ଅର୍ଥ ନେଣଦେଣର ବି ତଦନ୍ତ ଜୋରସୋରରେ ଚାଲିଛି ।
Powered by Froala Editor