ତାରା କଲେ ନବୀନଙ୍କ ଜୟଜୟକାର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ସମାଲୋଚନା କରିଆସୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମୁହଁରେ ନବୀନ ବନ୍ଦନା । ସବୁବେଳେ ଟାର୍ଗେଟ ମୁଡରେ ରହୁଥିବା ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତି ଶୁକ୍ରବାର ଜୟପୁର ସଭାରେ ନବୀନଙ୍କ ବନ୍ଦନା କରିଛନ୍ତି । ଭରପୂର ସଭାରେ ନବୀନଙ୍କ ଖୋଲା ଜୟଜୟକାର କରିଛନ୍ତି ତାରା ବାହିନୀପତି । ଜୟ ନବୀନ, ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଲଗାଇଛନ୍ତି ତାରା । କେବଳ ସେତିକି ନୁହେଁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ମଧ୍ୟ ତାରା ପ୍ରଶଂସା କରିବାକୁ ପଛାଇନାହାନ୍ତି । ତେବେ ଆଜି ଜୟପୁର ସଭାରେ ଏଭଳି କିଛି ଦୃଶ୍ୟ ସାମନାକୁ ଆସିବା ପରେ ତାରା ବିଜେଡି ମୁହାଁ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ପ୍ରକାଶ ଯେ ବିକ୍ରମଦେବ ସ୍ଵୟଂଶାସିତ କଲେଜ ଫ୍ଲାଟିନମ ଜୁବୁଲି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଲେଜ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇବା ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଲେଜ ପରିସରରେ ୮ କୋଟି ଟଙ୍କା ବ୍ୟୟରେ ୧୦୦୦ ଆସନ ବିଶିଷ୍ଟ ସ୍ଵତନ୍ତ୍ର ଅଡିଟୋରିୟମ ହେବ ବୋଲି ଘୋଷଣା କରିଛନ୍ତି।ଏହାର ଅନୁମତି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ଜିଲ୍ଲାରେ ସରିଥିବା ଏବଂ ନିର୍ମାଣ ହେବାକୁ ଥିବା ୧୧୩ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆଇନ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପ୍ରମୁଖଙ୍କ ସହ ବିଧାୟକ, ସାଂସଦ, କଲେଜ ଅଧ୍ୟକ୍ଷ, ଆଲୁମିନି ସଦସ୍ୟ, ଜନସାଧାରଣ ସଭାରେ ଉପସ୍ଥିତ ଥିଲେ।
Powered by Froala Editor