ନବ ଦାସଙ୍କ ବିୟୋଗ ରାଜ୍ୟ ତଥା ଦଳ ପାଇଁ ଅପୂରଣୀୟ କ୍ଷତି:ନବୀନ
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଶୋକ ବାର୍ତ୍ତାରେ ନବୀନ ଲେଖିଛନ୍ତି, ନବଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କର ବିୟୋଗ ରାଜ୍ୟ ତଥା ଦଳ ପାଇଁ ଅପୂରଣୀୟ କ୍ଷତି । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା ।
ନବୀନ କହିଛନ୍ତି ସେ ଦଳ ପାଇଁ ରାଜ୍ୟ ପାଇଁ ଜଣେ ପ୍ରମୁଖ ଚେହେରା ଥିଲେ । ସ୍ୱାସ୍ଥ୍ୟବିଭାଗରେ ସେ ଦକ୍ଷତାର ସହ କାମ କରିଥିଲେ । ଲୋକଙ୍କ ପାଇଁ କେଉଁଭଳି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ସେନେଇ ସେ ଚେଷ୍ଟା କରିଥିଲେ । ତାଙ୍କର ଏହି ବିୟୋଗ ରାଜ୍ୟ ପାଇଁ ବଡ କ୍ଷତି । ନବ ଦାସଙ୍କ ପରିବାର ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।
ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଓ ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେଠାରେ ମୁତୟନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଅନ୍ୟଜଣେ କନେଷ୍ଟବଳ । ସବୁ ଏତେ ହଠାତ ଘଟିଗଲା ଯେ, କେହି କିଛି ବୁଝି ପାରିନଥିଲେ । ଗୁଳିକାଣ୍ଡ ପରେ ଗୋପାଳଙ୍କୁ କାବୁ କରି ପୋଲିସ ନିଜ ହେପାଜତରେ ରଖିଛି ।
ପରେ ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଏତେ ସଂକଟାପନ୍ନ ଥିଲା ଯେ ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଅଣାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ ଆପୋଲୋ ପର୍ୟ୍ୟନ୍ତ ଗ୍ରୀନ କରିଡର କରାଯାଇଥିଲା । ଖୁବ କମ ସମୟ ଭିତରେ ଅପୋଲୋ ପହଁଚାଯାଇଥିଲା । ଆପୋଲୋର ବିଶେଷଜ୍ଞ ଡାକ୍ତରୀ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । କଟକ ଏସସିବି ମେଡିକାଲ ଓ କ୍ୟାପିଟାଲ୍ ହସପିଟାଲର ଡାକ୍ତରୀ ଟିମ୍ ଆପୋଲୋରେ ପହଁଚିଥିଲେ । ହେଲେ ଦୀର୍ଘ ଘଣ୍ଟାର ଚିକିତ୍ସା ପରେ ଶେଷରେ ବିଫଳ ହୋଇଥିଲେ ଡାକ୍ତରୀ ଟିମ ଆଉ ଆଖି ବୁଜିଥିଲେ ମନ୍ତ୍ରୀ ନବ ଦାସ ।
Powered by Froala Editor