ପବିତ୍ର ମାଘ ପୂର୍ଣ୍ଣମୀରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ
ପୁରୀ: ଆସନ୍ତା ୫ ତାରିଖ ରବିବାର ପବିତ୍ର ମାଘ ପୂର୍ଣ୍ଣମୀରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ସେଥିପାଇଁ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍ରେ ବେଶ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୟଣା ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ କାରିଗରଙ୍କ ସମେତ ଲାଗିଛନ୍ତି ଦର୍ଜୀ ଓ ଚିତ୍ରକର ସେବକ । ଠାକୁରଙ୍କ ଶ୍ରୀହସ୍ତ ପଦ ଆଦି ବେଶଭୂଷା ତିଆରି ଚାଲିଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଗରୁଡ଼ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥିବେ । ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥିବେ । କୁମ୍ଭୀର ହାତୀକୁ ଆକ୍ରମଣ କରିବା ବେଳେ ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ରହିବେ । ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ ଧରି ଦଣ୍ଡାୟମାନ ଥିବେ । ମଧ୍ୟାହ୍ନ ଧୂପ ପରେ ବେଶ ଆରମ୍ଭ ହେବ । ବେଶରେ ଥାଇ ଠାକୁରଙ୍କୁ ସନ୍ଧ୍ୟାଧୂପରେ ଖିରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ଭିତରଛ, ତଳିଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକମାନଙ୍କ ସହଯୋଗରେ ବେଶ ସମ୍ପନ୍ନ ହେବ । ମହାପ୍ରଭୁଙ୍କୁ ଗଜ ଉଦ୍ଧାରଣ ବେଶରେ ଦେଖି ଭକ୍ତମାନେ ଧନ୍ୟ ହେବେ ।
Powered by Froala Editor