ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା
ଭୁବନେଶ୍ୱର: ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଛି । ଠାକୁର ଅନନ୍ତ କେଶରୀ ଦେବ ଶନିବାର ସନ୍ଧ୍ୟାରେ ଜାଗମରା ନାଗା ମଠରୁ ସୁସଜ୍ଜିତ ବିମାନରେ ବାହାରିିବେ । ସେଠାରୁ ବାଜା, ବାଣ ରୋଷଣୀ ମାଧ୍ୟମରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିସ୍ଥିତ ରାଣୀହଂସପୁରରେ ବିଜେ ହେବା ସହ ମାଘସ୍ନାନ କରିବେ । ପୁଣି ରାତିରେ ନାଗା ମଠକୁ ଫେରି ଆସିବେ । ଠାକୁରଙ୍କ ଏହି ଯାତ୍ରା ପାଇଁ ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଦୂରଦୂରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଖଣ୍ଡଗିରିସ୍ଥିତ ପତିତପାବନୀ ଗୁପ୍ତଗଙ୍ଗା, ଆକାଶ ଗଙ୍ଗା ଓ ରାଧାକୁଣ୍ଡର ପବିତ୍ର ଜଳରେ ସ୍ନାନକରି ଏଠାରେ ଭଜନ କୀର୍ତ୍ତନ ଆରମ୍ଭ କରିବେ । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହିତ ଗୁମ୍ଫା ସଂଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆରମ୍ଭ ହେବ । ଶନିବାର ଠାରୁ ମଧ୍ୟ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ମେଳାର ଶେଷଦିନ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ । ପ୍ରାୟ ୨୦ ଦିନ ଧରି ଏଠାରେ ଦୋକାନ ବଜାର ଲାଗି ରହିବ । ମେଳାପାଇଁ ଅପେରା ପାର୍ଟି ଗୁଡ଼ିକର ଟେଣ୍ଟ୍ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଲାଣି । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବ୍ୟାନର୍ ଓ ହୋର୍ଡିଂମାନ ଟଙ୍ଗାଇ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଏହି ମେଳାରେ ଖଣ୍ଡଗିରି ନିକଟସ୍ଥ ଜାଗମରା, ଗଣ୍ଡମୁଣ୍ଡା, ବରମୁଣ୍ଡା, ଆଇଗିଣିଆ, ଡୁମୁଡ଼ୁମା, ଘାଟିକିଆ ଓ ଭରତପୁର ଆଦି ଗ୍ରାମର ଲୋକମାନେ ଓତୋପ୍ରୋତଃଭାବେ ଜଡ଼ିତ ହୋଇଥିବା ବେଳେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହେବ ।
Powered by Froala Editor