୨୧ ଦ୍ୱୀପର ନାମକରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଣ୍ଡାମାନ ଏବଂ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ପରମବୀର ଚକ୍ର ଉପାଧି ପ୍ରାପ୍ତଙ୍କ ନାମରେ ଏହି ଦ୍ୱୀପଗୁଡ଼ିକର ନାମ ରଖାଯାଇଛି । ଏଥିସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀରେ ତାଙ୍କ ସ୍ମୃତିରେ ପ୍ରସ୍ତାବିତ ଏକ ସ୍ମାରକୀ ମଡେଲର ଲୋକାର୍ପଣ କରିଛନ୍ତି । ଏହା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସ୍ଥାପନ କରାଯିବ । ଏହି ସ୍ମାରକୀ ସେଠାକାର ବାସିନ୍ଦାଙ୍କ ମନରେ ଦେଶପ୍ରେମ ଜାଗୃତ କରିବ ବୋଲି ପ୍ରଧାନମନ୍ତ୍ରୀ ଭର୍ଚୁଆଲ ସମ୍ବୋଧନରେ କହିଛନ୍ତି । ଏଥିସହ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ।
ପରମବୀର ଚକ୍ର ଉପାଧି ପାଇଥିବା ଧନ ସିଂ ଥାପ୍ପା, ଆର୍ଦେଶିର୍ ବୁରଜୋରଜି ତାରାପୋରେ, ସୁବେଦାର ବାନା ସିଂ, ଆଲବର୍ଟ ଏକ୍କ୍ା, ଅରୁଣ କ୍ଷେତ୍ରପାଳ, ମନୋଜ କୁମାର ପାଣ୍ଡେ, ହୋସିଆର ସିଂ, ସୋମନାଥ ଶର୍ମା, କରମ ସିଂ, ରାମା ରାଘୋବା ରାଣେ, ଯଦୁନାଥ ସିଂ, ସୈତାନ ସିଂ, ଯୋଗେନ୍ଦ୍ର ସିଂ ଯାଦବ, ଅବଦୁଲ ହମିଦ, ରାମାସ୍ୱାମୀ ପରମେଶ୍ୱରନ, ବିକ୍ରମ ବାତ୍ରା, ଜି.ଏସ୍. ସାଲାରିଆ, ପିରୁ ସିଂ, ନିର୍ମଳଜିତ ସିଂ ଶେଖୋନ, ଯୋଗୀନ୍ଦର ସିଂ ଓ ସଞ୍ଜୟ କୁମାରଙ୍କ ନାମରେ ୨୧ ଦ୍ୱୀପର ନାଁ ରଖାଯାଇଛି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପଦକ୍ଷେପ ଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମୂହର ୨୧ ବଡ଼ ଦ୍ୱୀପକୁ ଆମର ୨୧ ପରମବୀରଙ୍କ ନାଁ ସହିତ ଯୋଡ଼ାଯାଇଛି । ବିଶ୍ୱ ତିଷ୍ଠିଥିବା ଯାଏ ସେମାନଙ୍କ ସ୍ମୃତିକୁ ସାଇତି ରଖିବା ଦ୍ୱାରା ସେନାର ଉତ୍ସାହ ବଢ଼ିବ । ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ ଆସିଥିଲା ବେଳେ ରସ ଦ୍ୱୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିଥିଲେ । ସେହିଭଳି ନୀଲ ଦ୍ୱୀପ ଓ ହାଭଲକ ଦ୍ୱୀପର ନାମ ଯଥାକ୍ରମେ ସହିଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ରଖାଯାଇଥିଲା ।
Powered by Froala Editor