ଏଣିକି ‘କୋଭିସେଲ୍ଫ’ରେ ନିଜେ କରିପାରିବେ କରୋନା ଟେଷ୍ଟ

ଏବେ ଆପଣ ନିଜେ ସହଜରେ କରୋନା ଯାଞ୍ଚ କରି ପାରିବେ। ଘରେ କୋଭିଡ୍ ଯାଞ୍ଚ ପାଇଁ ପ୍ରଥମ ଟେଷ୍ଟିଂ କିଟ୍ କୋଭିସେଲ୍ଫ ଆଗାମୀ ସପ୍ତାହ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହୋଇଯିବ। ପୁଣେର ମାୟ ଲ୍ୟାବ୍ ଡିସ୍କଭରୀ ସଲ୍ୟୁସନର ନିର୍ଦ୍ଦେଶକ ସୁଜିତ ଜୈନ ଗୁରୁବାର ଏହାର ସୂଚନା ଦେଇଛନ୍ତି। ଏହା ପ୍ରଥମ ହୋମ ଟେଷ୍ଟିଂ କିଟ୍ ଯାହାକୁ ଦେଶରେ ବ୍ୟବହାର ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମଞ୍ଜୁରୀ ଦେଇଛି। ଯେକୌଣସି ବ୍ୟକ୍ତି ଘରେ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଏହି କିଟ୍ ବ୍ୟବହାର କରିପାରିବେ ।
ସାର୍କ-କୋଭ-୨ର ଉପସ୍ଥିତି ଜାଣିବା ପାଇଁ କୋଭିସେଲ୍ଫ ହେଉଛି ଏକ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ (ଆରଏଟି) । କୋଭିସେଲ୍ଫରେ କେବଳ ନାଜାଲ ନମୁନା ନେଇ କରୋନା ପରୀକ୍ଷା କରିହେବ । ଆଇସିଏମଆର କହିଛି ଯେ, ଆରଏଟି ଦ୍ୱାରା କେବଳ କରୋନା ଲକ୍ଷଣ ଥିବା ବ୍ୟକ୍ତି ବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ହିଁ ଘରେ ନିଜର ପରୀକ୍ଷା କରିପାରିବେ ।
ଉତ୍ପାଦକ ଦେଶରେ ୯୦ ପ୍ରତିଶତ ପିନ୍ କୋଡ୍ ଏରିଆ ପର୍ଯ୍ୟନ୍ତ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଅନଲାଇନ୍ରେ ମଧ୍ୟ କିଣାଯାଇ ପାରିବ। ସୁଜିତ ଜୈନ କହିଛନ୍ତି, ଆଗାମୀ ସପ୍ତାହ ଶେଷ ସୁଦ୍ଧା ୭ ଲକ୍ଷ ଦୋକାନ ଏବଂ ଅନଲାଇନ୍ ଫାର୍ମାସୀଙ୍କ ପାଖରେ ଏହି କିଟ୍ ଉପଲବ୍ଧ ହୋଇଯିବ। କିଟ୍ର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। ଏଥିରେ ଟ୍ୟାକ୍ସ ମଧ୍ୟ ସାମିଲ। କିଟ୍ ସହିତ ଏକ ମାନୁଆଲ ରହିବ, ଯେଉଁଥିରେ ବିନା କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ସହାୟତାରେ ଆପଣ କେମିତି କରୋନା ଯାଞ୍ଚ କରି ପାରିବେ ତାର ସବିଶେଷ ସୂଚନା ଉଲ୍ଲେଖ ରହିବ। ରିପୋର୍ଟ ବହୁତ ଶୀଘ୍ର ଆସିଯିବ। ଯଦି ରିପୋର୍ଟ ୨୦ ମିନିଟ୍ ପରେ ଆସେ ତେବେ ଏହାକୁ ଅବୈଧ ଧରାଯିବ।
କୋଭିସେଲ୍ଫ କିଟ୍ ଦ୍ୱାରା ନମୁନା ପରୀକ୍ଷା କରିବାକୁ ଡାକ୍ତରଙ୍କ କୌଣସି ପ୍ରେସକ୍ରିପସନର ଆବଶ୍ୟକ ନାହିଁ । ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନିଜର ନାଜାଲ ସ୍ୱାବ ଗ୍ରହଣ କରି ଏହି ପରୀକ୍ଷା କରିପାରିବେ । ଏହା ସହ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ୨ବର୍ଷରୁ ଅଧିକ ବୟସ୍କଙ୍କ ସ୍ୱାବ ନମୁନା ନେଇ କୋଭିସେଲ୍ଫ ଦ୍ୱାରା କରୋନା ପରୀକ୍ଷା କରିପାରିବେ ବୋଲି ଆଇସିଏମଆର କହିଛି ।
Powered by Froala Editor