ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର: ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କର

ରାଜସ୍ଥାନ ଏବଂ ତେଲେଙ୍ଗାନା ସରକାର ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କରିଛନ୍ତି । ଏହାର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଅନ୍ୟ ରାଜ୍ୟ ମାନେ ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରମାନେ ଏହି ରୋଗକୁ ସଂକ୍ରାମକ ବ୍ୟାଧି ଆଇନ ଅଧୀନରେ ସାମିଲ କରିବେ। ଏହାର ଅର୍ଥ ସମସ୍ତ ବ୍ଲାକ ପଙ୍ଗସ ଓ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ସିଧାସଳଖ ରାଜ୍ୟ ସରକାରମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇବେ। ଏହି ରୋଗ ସାଧାରଣତଃ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଦେଖିବାକୁ ମିଳୁଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କହିଛନ୍ତି, ସମସ୍ତ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଲାକ ଫଙ୍ଗସ ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ସ୍କ୍ରିନିଂ, ଚିକିତ୍ସା ଓ ମ୍ୟାନଜେମେଣ୍ଟ କରିବେ। ବ୍ଲାକ ଫଙ୍ଗସ ସଂକ୍ରାନ୍ତ ସମସ୍ତ କେସ୍ ସିଧାସଳଖ କେନ୍ଦ୍ରକୁ ରିପୋର୍ଟ କରିବେ।
ସୂଚନା ମୁତାବକ, ମହାରାଷ୍ଟ୍ରରେ ୧,୫୦୦ଜଣ “ବ୍ଲାକ୍ ଫଙ୍ଗସ୍” ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୦ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ରାଜସ୍ଥାନ ଏବଂ ତେଲେଙ୍ଗାନାରେ “ବ୍ଲାକ୍ ଫଙ୍ଗସ୍” ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଦୁଇ ରାଜ୍ୟ “ବ୍ଲାକ୍ ଫଙ୍ଗସ୍”କୁ ମହାମାରୀ ଘୋଷଣା କରିସାରିଛନ୍ତି।
ବ୍ଲାକ୍ ଫଙ୍ଗସ୍ କ’ଣ ଓ କେମିତି ହୁଏ?
ବ୍ଲାକ ଫଙ୍ଗସ ନାକରୁ ଆରମ୍ଭ ହୋଇ ଆଖି ଓ ମସ୍ତିଷ୍କକୁ ବ୍ୟାପିଥାଏ। ବିଶେଷଜ୍ଞମାନଙ୍କ ମତରେ ଫଙ୍ଗସ୍ ନାକରେ ୨ରୁ ୩ ଦିନ ରହିଥାଏ। ଏହାପରେ ଏହା ଆଖି ଆଡ଼କୁ ଗତି କରିଥାଏ। ଏପରି ସ୍ଥିତିରେ ଯଦି ଆପଣଙ୍କ ନାକରୁ ରକ୍ତଶ୍ରାବ ହେଉଛି, ନାକରୁ କଳା ପାଣି ବାହାରୁଛି କିମ୍ବା ଦେଖିବାରେ ସାମାନ୍ୟ ସମସ୍ୟା ରହୁଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।
ରୋଗ ମସ୍ତିଷ୍କକୁ ଚାଲି ଯିବା ଦ୍ୱାରା ମୃତ୍ୟୁର ଆଶଙ୍କା ବଢ଼ି ଯାଇଥାଏ। ଇଏନଟି ଡାକ୍ତରମାନେ ନାକର ଟେଷ୍ଟ ମାଧ୍ୟମରେ ରୋଗକୁ ଚିହ୍ନଟ କରନ୍ତି। ପ୍ରଥମେ ଆଣ୍ଟି-ଫଙ୍ଗଲ୍ ଇଞ୍ଜେକ୍ସନ୍ ଦିଅନ୍ତି। ଯଦି ସଂକ୍ରମଣ ଆଖିରେ ପହଞ୍ଚି ଯାଇଥାଏ, ତା’ହେଲେ ଏହାର ଅସ୍ତ୍ରୋପଚାର ଆବଶ୍ୟକ ପଡ଼େ। ସଂକ୍ରମଣ ଅତ୍ୟଧିକ ହୁଏ, ତେବେ ସମଗ୍ର ଆଖିକୁ ଶରୀରରୁ ବାହାର କରିବାକୁ ପଡ଼େ।
ସାଧାରଣତଃ ଏହା ମଧୁମେହ ରୋଗୀଙ୍କ ଠାରେ ଏହି ରୋଗ ଦେଖାଯାଉଥିଲା। ଏବେ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳୁଛି। ସେହିପରି ପୂର୍ବରୁ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ ଥିଲା। ହେଲେ ଏବେ କରୋନା ପାଇଁ ସୃଷ୍ଟି ହେଉଥିବା ସମସ୍ତ ସମସ୍ୟା ଯୋଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ବଢ଼ୁଛି।
Powered by Froala Editor