ମାଲ୍ୟାଙ୍କ ସମ୍ପତ୍ତି ସୁରକ୍ଷା କବଚ ହଟାଇଛନ୍ତି କୋର୍ଟ

ଲଣ୍ଡନ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ୍ ହାଇକୋର୍ଟ ବଡ଼ ଧରଣର ଝଟକା ଦେଇଛନ୍ତି । ଭାରତରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଉପରେ ଯେଉଁ ସୁରକ୍ଷା କବଚ ଥିଲା ତାହାକୁ କୋର୍ଟ ହଟାଇ ଦେଇଛନ୍ତି । ଫଳରେ ମାଲ୍ୟାଙ୍କ ବିରୋଧରେ ଆଇନଗତ ଲଢେ଼ଇ ଲଢ଼ୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ବ୍ୟାଙ୍କଗୁଡ଼ିକର କନସୋର୍ଟିୟମକୁ ଆଉ ଏକ ସଫଳତା ମିଳିଛି । ମାଲ୍ୟାଙ୍କ ଠାରୁ ଋଣ ରାଶି ଅସୁଲ କରିବା ପାଇଁ ସେମାନେ ଆଉ କିଛି ପାଦ ନିକଟତର ହୋଇଛନ୍ତି । ଭାରତୀୟ ବ୍ୟାଙ୍କଗୁଡ଼ିକରୁ ୯୦୦୦ କୋଟି ଟଙ୍କାର ଋଣ ଠକେଇ କରି ମାଲ୍ୟା ଦେଶ ଛାଡ଼ି ପଳାଇଛନ୍ତି । ମାଲ୍ୟାଙ୍କ ବନ୍ଦ ହୋଇଯାଇଥିବା ବିମାନ କଂପାନି କିଙ୍ଗଫିସର ଏୟାରଲାଇନ୍ସ ପାଇଁ ଏହି ଋଣ ଦିଆଯାଇଥିଲା । ବ୍ରିଟେନ ହାଇକୋର୍ଟଙ୍କ ନିର୍ଦେଶ ପରେ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କ ସମ୍ପତ୍ତି ଜବତ କରି ଋଣ ଅର୍ଥ ହାସଲ କରିପାରିବେ । ବ୍ରିଟେନ୍ ହାଇକୋର୍ଟର ଚିଫ ଇନସଲଭେନ୍ସି ଆଣ୍ଡ କଂପାନିଜ କୋର୍ଟ (ଆଇସିସି)ର ବିଚାରପତି ମାଇକେଲ ବ୍ରିଗସ ଭାରତୀୟ ବ୍ୟାଙ୍କଗୁଡ଼ିକର ଆବେଦନକୁ ଗ୍ରହଣ କରି ସେମାନଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ମାଲ୍ୟାଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ଭଳି କୌଣସି ସରକାରୀ ନୀତି ନଥିବା ବିଚାରପତି କହିଛନ୍ତି ।
ଅପର ପକ୍ଷରେ ପ୍ରତ୍ୟର୍ପଣ ମାମଲାକୁ ମଧ୍ୟ କିଛି ମାସ ପୂର୍ବରୁ ମାଲ୍ୟା ହାରିସାରିଛନ୍ତି । ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ ନିକଟରେ ସେ ଆବେଦନ କରିଥିଲେ । ତାହା ମଧ୍ୟ ଖାରଜ ହୋଇଯାଇଛି । ଏହା ସତ୍ତ୍ୱେ ତାଙ୍କ ଭାରତ ଫେରିବା ବିଳମ୍ବ ହେବ ବୋଲି କୁହାଯାଉଛି । ଭାରତ ନଫେରିବା ଲାଗି ମାଲ୍ୟା ସବୁ ପ୍ରକାର ପ୍ରୟାସ କରୁଛନ୍ତି । ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇ ଅଭିଯୋଗ ମଧ୍ୟ ରହିଛି । ଆଇନ ବିଶାରଦଙ୍କ କହିବାନୁସାରେ ବ୍ରିଟେନରେ ମାଲ୍ୟା କେସ ଜିତିବାର କୌଣସି ସମ୍ଭାବନା ନାହିଁ । କିନ୍ତୁ ଆଇନରେ ଥିବା ବିଭିନ୍ନ ବାଟକୁ ବ୍ୟବହାର କରି ସେ ଆଉ କିଛି ଦିନ ସେଠାରେ ରହିପାରିବେ । ବ୍ରିଟେନରେ ସବୁଦିନ ପାଇଁ ରହିବାର ସବୁ ଆଇନଗତ ରାସ୍ତା ମାଲ୍ୟାଙ୍କ ଲାଗି ଏକପ୍ରକାର ବନ୍ଦ ହୋଇଗଲାଣି ।
Powered by Froala Editor