ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି ଗିରଫ

ବିମାନରେ ଜଣେ ସହଯାତ୍ରୀ ତଥା ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଶଙ୍କର ମିଶ୍ରାଙ୍କୁ ଗିରଫ କରିଛି ପୁଲିସ। ଶଙ୍କରଙ୍କ ଏଭଳି ଅସଭ୍ୟ ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ ପାଇଁ ଲୁକ ଆଉଟ୍ ସର୍କୁଲାର ଜାରି କରିଥିଲା। ଏଥିପାଇଁ ଦିଲ୍ଲୀ ପୁଲିସ ମୁମ୍ବାଇ ,ବେଙ୍ଗାଲୁର ତଥା ଅନ୍ୟାନ୍ୟସ୍ଥାନରେ ସର୍ଚ୍ଚ ଅପରେଶନ ଜାରି ରଖିଥିଲା। ଆତ୍ମଗୋପନ କରିଥିବା ଶଙ୍କରଙ୍କୁ ବେଙ୍ଗାଲୁରରୁ ଗିରଫ କରିଛି ପୁଲିସ। ଶଙ୍କର ମିଶ୍ରାଙ୍କୁ କୋର୍ଟରେ ହାଜର କରାଯିବା ପରେ ଏଭଳି କରିବା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ କୋର୍ଟ ପୁଲିସକୁ ୧୪ଦିନ ସମୟ ଦେଇଥିବା ଜଣାପଡ଼ିଛି। ଅର୍ଥାତ୍ କୋର୍ଟ ଶଙ୍କର ମିଶ୍ରାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ସୂଚନା ମୁତାବକ, ଜାନୁଆରି ୪ରେ ବିମାନରେ ଶଙ୍କର ମିଶ୍ରା ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲା। ଅଭିଯୋଗ ହେବା ପରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଫେରାର ହୋଇଯାଇଥିବା ଶଙ୍କରଙ୍କୁ ଠାବ କରିବା ନିମନ୍ତେ ‘ଲୁକ୍ ଆଉଟ୍ ନୋଟିସ୍’ ଜାରି କରାଯାଇଥିଲା। ଶଙ୍କରଙ୍କ ଅବସ୍ଥିତି ବିଷୟରେ ସୁନିଶ୍ଚିତ ସୂଚନା ପାଇବା ପରେ ତାଙ୍କୁ ଧରିବା ଲାଗି ଦିଲ୍ଲୀ ପୁଲିସ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଟିମ୍ ମୁତୟନ କରିଥିଲା। ଶଙ୍କର ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ ସୁଦ୍ଧା, ସାଙ୍ଗସାଥୀମାନଙ୍କ ସହିତ ଯୋଗାଯୋଗ ରଖିବା ଲାଗି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ ସବୁ ଚଳାଉ ଥିଲେ। ତାହାକୁ ଆଧାର କରି ଶଙ୍କରଙ୍କ ଅବସ୍ଥିତି ଜଣାପଡ଼ିଥିଲା।
Powered by Froala Editor