୧୧ରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ
ଖୁଣ୍ଟୁଣୀ: ରାଜ୍ୟର ହଜାର ହଜାର ଟ୍ରକ୍ ମାଲିକଙ୍କ ହିତ ଦୃଷ୍ଟିରୁ ସ୍କ୍ରାପିଂ ନୀତିର ପରିବର୍ତ୍ତନ, ରାସ୍ତାରେ ପୁରୁଣା ଗାଡ଼ି ଚଳାଚଳ ୧୫ ବର୍ଷ ପରିବର୍ତ୍ତେ ୨୦ବର୍ଷକୁ ବୃଦ୍ଧି କରିବା, ସାନି ଟ୍ରକ୍ ଭଡ଼ା ଧାର୍ୟ୍ୟ କରିବା, ରାସ୍ତା ମଝିରେ ଅର୍ଥ ଲଗାଣକାରୀ ସଂସ୍ଥା କରୁଥିବା ଗୁଣ୍ଡାରାଜ ବନ୍ଦ କରିବା, ପୁରୁଣା ଗାଡ଼ିର ସ୍କ୍ରାପ୍ ଭାଲ୍ୟୁ ୬ ପ୍ରତିଶତରୁ ୧୫ ପ୍ରତିଶତ ବୃଦ୍ଧି କରିବା ଆଦି ୫ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାର ଟାଳଟୁଳ ନୀତି ଗ୍ରହଣ କରୁଥବାରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ୧୧ତାରିଖ ମଧ୍ୟ ରାତ୍ରିରୁ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି ।
ଏନେଇ ଶୁକ୍ରବାର ଖଣ୍ଟୁଣୀ ଟ୍ରକ୍ ମାଲିକ ସଂଘର ଆଠଗଡ଼ ଉପଖଣ୍ଡ କାର୍ୟ୍ୟାଳୟ ସଭାଗୃହରେ ଏକ ବୈଠକ ହୋଇଥିଲା । ମହାସଂଘର ସଭାପତି ବିଭୁତି ପ୍ରସାଦ ଦାସ, ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାରଙ୍କ ସ୍କ୍ରାପିଂ ନୀତି କେନ୍ଦ୍ର ସରକାରଙ୍କ ନୀତି ଠାରୁ ସମ୍ପୂର୍ଣ୍ଣ ଅଲଗା । ସାରା ଭାରତ ବର୍ଷରେ ଏହି ନୀତି ଲାଗୁ ହୋଇନଥିବା ବେଳେ ରାଜ୍ୟ ସରକାର କ’ଣ ପାଇଁ ତରବରିଆ ଭାବେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ବୁଝା ପଡୁନାହିଁ । ଏହି ନୀତି ଲାଗୁ ହେଲେ ହଜାର ହଜାର ଟ୍ରକ ମାଲିକ ଦେବାଳିଆ ହୋଇଯିବେ ବୋଲି କୁହାଯାଇଥିଲା । ଏହାର ପ୍ରତିବାଦରେ ରାଜ୍ୟ ମାଲିକ ମହାସଂଘ ଦେଇଥିବା ଧର୍ମଘଟ ଡ଼ାକରାରେ ରାଜ୍ୟର ୨ ଲକ୍ଷ ୧୫ ହଜାର ଟ୍ରକ୍ ସାମିଲ ହେବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ।
Powered by Froala Editor