‘ୟଶ’ ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ'

ଭୁବନେଶ୍ୱର: କରୋନା ସମୟରେ ତାଉତେ ପରେ ଆଉ ଏକ ବାତ୍ୟା ‘ୟଶ’ ମାଡ଼ି ଆସୁଛି । ତେବେ ଏହି ବାତ୍ୟା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି କହିଛନ୍ତି ।
ସେ କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ବାତ୍ୟା ନେଇ ସଠିକ ଆକଳନ କରାଯାଇପାରିବ । ବାତ୍ୟା ତ ନିଶ୍ଚୟ ହେବ । ତେବେ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ୨୨ ତାରିଖରେ କହିହେବ । ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ । ୨୨ରେ ସୃଷ୍ଟ ଲଘୁଚାପ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ । ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି କହିଛନ୍ତି ।
ପ୍ରକାଶ ଯେ, ଆଇଏମଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର ବୁଧବାର ବାତ୍ୟା ନେଇ ସୂଚନା ଦେଇ କହିଥିଲେ ଯେ, ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟାର ରୂପ ନେବ । ୨୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ । ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ । ବର୍ତ୍ତମାନ ଆକଳନ ଅନୁଯାୟୀ ୨୬ ତାରିଖ ସକାଳେ ଉପକୂଳ ଛୁଇଁବ । ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବା ନେଇ ଅନୁମାନ କରାଯାଉଛି । ତେବେ କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ । ଲଘୁଚଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ । ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ ବୋଲି ଶ୍ରୀ ମହାପାତ୍ର କହଥିଲେ ।
Powered by Froala Editor