୨୪ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ଜିଲ୍ଲାପାଳ
ନବରଙ୍ଗପୁର: ବିନା ଛୁଟିରେ ବହୁ ବର୍ଷ ଧରି କାର୍ୟ୍ୟରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା । ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ୟ୍ୟନ୍ତ ଅର୍ଥାତ ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ୟ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।
ବିନା ଛୁଟିରେ ବହୁବର୍ଷ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକ୍ରମେ ବହୁଦିନ ଧରି କାର୍ୟ୍ୟରେ ଅନୁପସ୍ଥିତ ରହିଥିବା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ୟ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବିଇଓଙ୍କୁ ଜୁଲାଇ ୨୦ ରେ ଚିଠି କରାଯାଇଥିଲା । ଯାହାର ତଦନ୍ତ ପରେ ଜିଲ୍ଲାରେ ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ସ୍ପଷ୍ଟ ହୋଇଥିଲା ।
ବ୍ଲକ ଶିକ୍ଷାବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ସେଥିରେ ମାତ୍ର ୬ ଜଣ ହିଁ ଅନୁପସ୍ଥିତିର ବିଭିନ୍ନ କାରଣ ଦେଇ ଉତ୍ତର ଦେଇଥିବାରୁ ସେମାନଙ୍କ ଚାକିରି ବଞ୍ଚିଯାଇଛି। ହେଲେ ଅନ୍ୟ ୨୪ ଜଣ ଶିକ୍ଷକ ୧୫ ଦିନ ସୁଦ୍ଧା କୌଣସି ଉତ୍ତର ଦେଇନଥିଲେ ।
ଅନ୍ୟପଟେ କାରଣ ଦର୍ଶାଅ ନୋଟିସ ଜାରି ହେବା ପୂର୍ବରୁ କୋଷାଗୁମୁଡ଼ା ବ୍ଲକର ଜଣେ ଶିକ୍ଷକ ଗତ ଅଗଷ୍ଟ ମାସର ଚାକିରି ଛାଡ଼ି ଦେଇଥିବା ସୂଚନା ମିଳିଛି। ଜିଲ୍ଲାର ୨୪ ଜଣ ଶିକ୍ଷକ କୌଣସି ଉତ୍ତର ଦେଇନଥିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ ଚାକିରିରୁ ବିଦା କରିଛନ୍ତି ।
Powered by Froala Editor