ଯୌନ ସୁଖରୁ ବଞ୍ଚିତ ରଖିଲେ ବୋଲି ସରକାରଙ୍କୁ ମାଗିଲେ ୧୦ ହଜାର କୋଟି କ୍ଷତିପୂରଣ
ମିଥ୍ୟା କେସ୍ରେ ଫସି ଜେଲ ଯାଇଥିଲେ ଜଣେ ବ୍ୟକ୍ତି । ଏବେ ମୁକୁଳିଛନ୍ତି । କିନ୍ତୁ ମୁକୁଳିବା ପରେ ସେ ସରକାରଙ୍କ ଉପରେ ଲଗାଇଛନ୍ତି ସଙ୍ଗୀନ ଆରୋପ । ତାଙ୍କୁ ମିଥ୍ୟା କେସ୍ରେ ୬୬୬ ଦିନ ଜେଲରେ ରଖାଯାଇଥିବାରୁ କ୍ଷତିପୂରଣ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏତେ ଦିନ ତାଙ୍କୁ ଯୌନସୁଖରୁ ବଞ୍ଚିତ ରଖାଗଲା । ଯେବେକି ସେ ନିର୍ଦ୍ଦୋଷ । ତେଣୁ ଏ ବାବଦରେ ତାଙ୍କୁ ୧୦ ହଜାର କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ । ମଧ୍ୟପ୍ରଦେଶର ରତଲାମରୁ ଏପରି ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ସରକାରଙ୍କ ଠାରୁ ସେ ୧୦,୦୦୬ କୋଟିର କ୍ଷତିପୂରଣ ଦାବି କରି ମାନହାନୀ କେସ୍ କରିଛନ୍ତି।
ଆଦିବାସୀ ବ୍ୟକ୍ତି ଜଣଙ୍କ ହେଲେ ୩୫ ବର୍ଷୀୟ କାନ୍ତିଲାଲ ଭୀଲ ଓରଫ କାନ୍ତୁ। ସେ ଏବେ ବି ମିଛ କେସ୍ରେ ଫସି କେମିତି ଜେଲ ଭିତରେ ନିର୍ଯାତନାର ଶିକାର ହେଉଥିଲେ, ସେକଥା ଭୁଲି ପାରି ନାହାନ୍ତି। ତାଙ୍କ ପତ୍ନୀ, ପିଲା ଓ ବୃଦ୍ଧା ମା’ ଅନେକ ଯନ୍ତ୍ରଣା ମଧ୍ୟରେ ୬୬୬ ଦିନ କାଟିଛନ୍ତି।
ସେ କହିଛନ୍ତି, “ଜେଲରେ ୨ ବର୍ଷ ରହିବା ସମୟରେ ମୁଁ ଭୋଗିଥିବା ଅସହ୍ୟ କଷ୍ଟ ଏବେ ଶବ୍ଦରେ ବୟାନ କରିପାରୁନି। ମୋ ପରିବାର ଅନ୍ତଃବସ୍ତ୍ର କିଣିବାକୁ ମଧ୍ୟ ସକ୍ଷମ ହେଉ ନଥିଲେ। ମୁଁ ଜେଲରେ ବିନା କପଡ଼ାରେ ଗରମ ଓ ଶୀତକୁ ସହ୍ୟ କରିଛି। ମୋ ପରିବାରରେ ୬ ଜଣ ସଦସ୍ୟ। ସେମାନଙ୍କୁ ମୁଁ ପୋଷୁଥିଲି। କିନ୍ତୁ ମୋ ବିନା ସେମାନଙ୍କ ଅବସ୍ଥା କ’ଣ ହୋଇଥିବ ଥରେ ଚିନ୍ତା କରନ୍ତୁ। ”ଏଥିସହ ଜେଲରେ ରହିବାରୁ ସେ ଈଶ୍ୱରଙ୍କ ଉପହାର ଯୌନ ସୁଖରୁ ବଞ୍ଚିତ ହୋଇଥିଲେ। ତେଣୁ ସେ ୧୦ ହଜାର କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି।
ସେ ବ୍ୟବସାୟୀ, ପ୍ରଫେସନ, ସମ୍ମାନହାନୀ, ଯନ୍ତ୍ରଣା ଆଦି ପାଇଁ ୧ କୋଟି ଲେଖାଏ କ୍ଷତିପୂରଣ ମାଗିଛନ୍ତି। ଜେଲରେ ଥିବା ବେଳେ ବିବାଦର ସମାଧାନ ବାବଦ ଖର୍ଚ୍ଚ ପାଇଁ ସେ ୨ କୋଟି ଟଙ୍କା ମାଗିଛନ୍ତି।
ଜଣେ ମହିଳା ୨୦୧୮ ଜାନୁଆରୀ ୧୮ରେ କରିଥିବା ଅଭିଯୋଗ ଆଧାରରେ ପୁଲିସ୍ କାନ୍ତିଲାଲଙ୍କୁ ଗଣଦୁଷ୍କର୍ମ ମାମଲା ରୁଜୁ କରି ଗିରଫ କରିଥିଲା। କାନ୍ତିଲାଲଙ୍କ ଓକିଲ ବିଜୟ ସିଂହ ଯାଦବ କହିଛନ୍ତି, ଜାନୁଆରୀ ୧୦ରେ ଜିଲ୍ଲା କୋର୍ଟ ଆବେଦନର ଶୁଣାଣି ପାଇଁ ରାଜି ହୋଇଛନ୍ତି।
Powered by Froala Editor