ଶୀତରେ ଥରିବ ରାଜ୍ୟ
ଭୁବନେଶ୍ବର: ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ କରୁଥିବାରୁ ଗତ କିଛି ଦିନ ହେବ ଉଭୟ ସମତଳ ଓ ପାହାଡିଆ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକଠାରୁ ବୃଦ୍ଧି ପାଉଥିଲା। ଶୀତ ପ୍ରକୋପ କମିବା ଦ୍ବାରା ପୌଷ ମାସରେ ଲୋକେ ଗରମ ଅନୁଭୂତ କରୁଥିଲେ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବା ସହ ଶୀତ ପ୍ରକୋପ ବଢିବାର ସମ୍ଭାବନା ରହିଛି। ସାରା ରାଜ୍ୟ ଶୀତରେ ଥରିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଦୁଇଦିନ ପର୍ୟ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟକୁ ଉତ୍ତରା ପବନ ପ୍ରବାହ କରିବା ଦ୍ବାରା ରାତି ତାପମାତ୍ରା କମିବ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଅନୁଗୋଳ ଓ କୋରାପୁଟରେ ୧୨ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ରାଜ୍ୟକୁ ଉତ୍ତର ପବନ ଆସିପାରୁ ନାହିଁ, ଏଣୁ ରାତି ତାପମାତ୍ରା ବଢୁଛି। ୫ତାରିଖ ପର୍ୟ୍ୟନ୍ତ ଅଧିକାଂଶ ସ୍ଥାନରେ ଶୀତ ପଡିବ ନାହିଁ; କିନ୍ତୁ ବାଲେଶ୍ବର ଓ ମୟୂରଭଞ୍ଜ ଜିଲାରେ ସାମାନ୍ୟ ଶୀତ ବଢିପାରେ। ୬ତାରିଖରୁ ରାଜ୍ୟକୁ ଉତ୍ତରା ପବନ ପ୍ରବାହ କରିବା ଦ୍ବାରା ରାତି ତାପମାତ୍ରା ହ୍ରାସ ପାଇବାରୁ ଶୀତ ପ୍ରକୋପ ବଢିବ।
Powered by Froala Editor