ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବର୍ଷେ ପର୍ୟ୍ୟନ୍ତ ମିଳିବ ମାଗଣା ଚାଉଳ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ବର୍ଷେ ପର୍ୟ୍ୟନ୍ତ ମାଗଣାରେ ମିଳିବ ଚାଉଳ । ଅର୍ଥାତ୍ ଚଳିତ ଜାନୁଆରୀରୁ ଡିସେମ୍ବର ପର୍ୟ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ୧୮୫ କୋଟି ଟଙ୍କାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏଥିରେ ଉପକୃତ ହେବେ ୮ ଲକ୍ଷ ୯ ହଜାର ହିତାଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଯୋଗୁ ଗରିବ ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବର୍ଷେ ପର୍ୟ୍ୟନ୍ତ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇବାକୁ ନିକଟରେ କେନ୍ଦ୍ର ସରକାର ମଧ୍ୟ ଘୋଷଣା କରିଥିଲେ ।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଯାଇଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ୨୦୧୮ ଅକ୍ଟୋବରରରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଚାଉଳ କିଲୋ ପିଛା ୧ ଟଙ୍କାରେ ଦିଆଯାଉଛି ହିତାଧିକାରୀଙ୍କୁ । ମାତ୍ର ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ମାଗଣାରେ ଦେବେ ରାଜ୍ୟ ସରକାର ।
ନିକଟରେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ଆହୁରି ବର୍ଷେ ପର୍ୟ୍ୟନ୍ତ ମାଗଣା ରାସନ ଘୋଷଣା କରାଯାଇଥିଲା । ଏବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆହୁରି ବର୍ଷେ ପର୍ୟ୍ୟନ୍ତ ମାଗଣାରେ ରାସନ ମିଳିବ । ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଶାଇଲେ ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୧୨ ହଜାର ଲୋକେ ମାଗଣାରେ ରାସନ ପାଇବେ ।
Powered by Froala Editor