ପରିବାରର ୮ ଜଣଙ୍କୁ ମୁଖାଗ୍ନି ଦେଲା ୪ ବର୍ଷର ଝିଅ

ରାଜସ୍ଥାନରୁ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ହେଲେ ୮ ଜଣଙ୍କ ମୃତ୍ୟୁ ଖବର ଯେତିକି ଦୁଃଖଦ ଥିଲା ତାଠୁ ବେଶୀ ଦୟନୀୟ ଥିଲା ଆଉ ଏକ ଦୃଶ୍ୟ । ୮ ଜଣଙ୍କ ମୃତଦେହକୁ ମୁଖାଗ୍ନି ଦେଇଥିଲା ଜଣେ ୪ ବର୍ଷର ଶିଶୁକନ୍ୟା । ଯେକେହି ଏ ଦୃଶ୍ୟ ଦେଖୁଥିଲେ ଭୋ ଭୋ ହୋଇ କାନ୍ଦୁଥିଲା ।
ଶୁଣିବାକୁ ମିଳିଛି ପରିବାରର ସମସ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଝିଅଟି ହିଁ ରହିଯାଇଛି । ହଠାତ୍ ତା ଜୀବନରେ ଏ କଳା ବାଦଲ ଛାଇଯାଇଛି । କିଛି ବୁଝିବା ଆଗରୁ ତା ମୁଣ୍ଡ ଉପରୁ ଛାୟା ଉଠିଯାଇଛି । ସମ୍ପର୍କୀୟ ତାକୁ ସମ୍ଭାଳିଛନ୍ତି । ତଥାପି ସମସ୍ତଙ୍କୁ ମୁଖାଗ୍ନି ଦେବା ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ।
ଜୟପୁରର ସାମୋଦ ନିବାସୀ କୈଳାଶଚନ୍ଦ ଓ ସୁବାଲାଲଙ୍କ ପରିବାର ଜାନୁଆରି ୧ ତାରିଖ ଦିନ କୁଳଦେବୀଙ୍କ ଦର୍ଶନ ସାରି ନୂଆଗାଡ଼ିରେ ଘରକୁ ଫେରୁଥିଲେ। ଏହି ସମୟରେ ସେମାନେ ବସିଥିବା ଗାଡ଼ି ଏକ ବାଇକକୁ ଧକ୍କା ଦେଇ ଟ୍ରକ ଭିତରେ ପଶି ଯାଇଥିଲା। ଦୁର୍ଘଟଣାରେ କୈଳାଶଚନ୍ଦ୍ରଙ୍କ ଦୁଇପୁଅ ବିଜୟ ଓ ଅଜୟ, ଝିଅ ରେଖା ଓ ବିଜୟଙ୍କ ସ୍ତ୍ରୀ ରାଧା ସମେତ ସୁବାଲାଲଙ୍କ ଦୁଇ ବୋହୂ ପୁନମ ଓ ଅନୁରାଧା, ନାତି ଆରବ ଓ ନାତୁଣୀ ନିକ୍କୁ ସହିତ ପଡ଼ିଶାରେ ଥିବା ଅରବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା।
Powered by Froala Editor