ନାରାୟଣପୁରରେ ଉତ୍ତେଜନା : ଏସ୍ପିଙ୍କ ମୁଣ୍ଡ ଫାଟି ଗୁରୁତର
ଧର୍ମାନ୍ତରଣକୁ ନେଇ ଛତିଶଗଡ଼ର ନାରାୟଣପୁରରରେ ଦୁଇ ପକ୍ଷ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି । ଏହି ସମୟରେ ଏକତ୍ରିତ ଭିଡ଼ ଏକ ଚର୍ଚ୍ଚରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ହିଂସାକୁ ରୋକିବାକୁ ଯାଇ ପଥର ମାଡ଼ରେ ନାରାୟଣପୁର ପୁଲିସ ଏସପି ସଦାନନ୍ଦ କୁମାରଙ୍କ ମୁଣ୍ଡ ଫାଟିଯାଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ହିଂସା ରୋକିବାକୁ ପୁଲିସ ଦୁଇଗୋଷ୍ଠୀ ଉପରେ ଲାଠି ଚାର୍ଜ କରିଛି। ଏହି ଘଟଣାକୁ ନେଇ ନାରାୟଣପୁର ସହରରେ ଉତ୍ତେଜନା ଲାଗି ରହିଛି।
ସୂଚନା ମୁତାବକ, ଗ୍ରାମ ପଞ୍ଚାୟତ ଏଡକାର ଆଶ୍ରିତ ଗାଁରେ ଥିବା ଗୀର୍ଜାରେ ରବିବାର ଇସାଇ ମିଶନାରୀର ଲୋକମାନେ ବୈଠକ କରୁଥିଲେ । ଏହି ସମୟରେ ଆଦିବାସୀ ଗୋଷ୍ଠୀଙ୍କ ସହ ଧର୍ମାନ୍ତରଣକୁ ନେଇ ତାଙ୍କର ବିବାଦ ହୋଇ ଯାଇଥିଲା । ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପୋଲିସ କର୍ମଚାରୀ ପହଞ୍ଚିବା ପରେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।
କୁହାଯାଉଛି ଯେ ଅଚାନକ ଆନ୍ଦୋଳନ କରୁଥିବା ଭିଡ଼ ଉଗ୍ର ହୋଇ ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲା । ଚର୍ଚ୍ଚରେ ଭଙ୍ଗାରୁଜା କରିଥିଲେ ଲୋକେ । ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଥିଲା । ଏହା ଦେଖି ଉପସ୍ଥିତ ପୋଲିସ କର୍ମୀ ସେମାନଙ୍କୁ ବୁଝାଇବା ପାଇଁ ସେଠାରେ ପହଞ୍ଚିଥିଲେ । ନାରାୟଣପୁର ପୁଲିସ ଏସପି ଘଟଣାସ୍ଥଳରେ ପହଞ୍ଚି ଏହାକୁ କାବୁ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ସହ ସଶସ୍ତ୍ର ପୁଲିସ ଫୋର୍ସ ମଧ୍ୟ ଥିଲେ। ହେଲେ କେହି ହିଂସାକାରୀ ପଥର ଫୋପାଡ଼ିବାରୁ ଏସ୍ପିଙ୍କ ମୁଣ୍ଡରେ ବାଜିଥିଲା। ତେଣୁ ସେ ଗୁରୁତର ଆହତ ହୋଇଥିଲେ।
Powered by Froala Editor