ଏଇଟା ପଦଯାତ୍ରା, ବୁଲେଟ ପ୍ରୁଫ୍ କାର୍ରେ ବସିଲେ କେମିତି ସମ୍ଭବ ହେବ
‘ଭାରତ ଯୋଡ଼ୋ ଯାତ୍ରା’ ଦିଲ୍ଲୀରେ ପ୍ରବେଶ କରିବା ବେଳେ ରାହୁଲ୍ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ପାଇଁ କଂଗ୍ରେସ ପାର୍ଟି ଦିଲ୍ଲୀ ପୁଲିସ ଓ ‘ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ’ଙ୍କୁ ଦାୟୀ କରିଥିଲା। କିନ୍ତୁ, ସ୍ବୟଂ ରାହୁଲ୍ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ କରିଥିଲେ ବୋଲି ଉଭୟ ଦର୍ଶାଇବାରେ ପରେ ବିବାଦର ସୂତ୍ରପାତ ହୋଇଥିଲା। ଏ ସଂକ୍ରାନ୍ତରେ ରାହୁଲ୍ ଗାନ୍ଧୀ କହିଛନ୍ତି, ସରକାର ମୋତେ ବୁଲେଟ୍ ପ୍ରୁଫ୍ କାର୍ରେ ବସି ଯାତ୍ରା କରାଇବାକୁ ଚାହୁଁଛନ୍ତି। ମୁଁ କେମତି ତାହା କରିପାରିବି? ଏଇଟା ତ ପଦଯାତ୍ରା। ‘ବୁଲେଟ୍ ପ୍ରୁଫ୍’କାର୍ରେ ବସି ‘ଭାରତ ଯୋଡ଼ୋ ଯାତ୍ରା’ କରିବା ସମ୍ଭବ ନୁହେଁ ବୋଲି ରାହୁଲ୍ ଗାନ୍ଧୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ କଂଗ୍ରେସ ପୋଛିନେବ। ଭାଜପାକୁ କେଉଁଠି ହେଲେ ଦେଖିବାକୁ ମିଳିବନି। ଏନେଇ ମୁଁ ଗ୍ୟାରେଣ୍ଟି ଦେଉଛି। ମଧ୍ୟପ୍ରଦେଶରେ ଭାଜପା ଟଙ୍କା ଖର୍ଚ୍ଚ କରି ସରକାର କରିଛି ବୋଲି ଏହା ସମସ୍ତେ ଜାଣନ୍ତି। ତେଣୁ ସାଧାରଣ ଜନତା ଉଚିତ ଜବାବ ଦେବେ।
Powered by Froala Editor