ପ୍ରଥମ ଆମେରିକୀୟ ନିଉଜ୍ ଆଙ୍କର୍ ବାରବରା ଓ୍ବାଲଟର୍ସଙ୍କ ପରଲୋକ, ତାଙ୍କ ବିଷୟରେ ଜାଣନ୍ତୁ କିଛି କଥା...

ଆମେରିକୀୟ ଟେଲିଭିଜନ ପ୍ରଥମ ନିଉଜ୍ ଆଙ୍କର୍ ବାରବରା ଓ୍ବାଲଟର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଓ୍ବାଲଟରର୍ସଙ୍କ ଦେହାନ୍ତ ହୋଇଥିବା କଥା ଶୁକ୍ରବାର ଦିନ ‘ଏବିସି ନିଉଜ୍’ ରିପୋର୍ଟ କରିଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ସୂଚନା ଅନୁଯାୟୀ, ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ବାରବରା ପ୍ରସିଦ୍ଧ ମହିଳା ଟକ ଶୋ 'ଦି ଭ୍ୟୁ' ନିର୍ମାଣ କରିଥିଲେ। ସେ କ୍ୟୁବାର ଫିଡେଲ କାଷ୍ଟ୍ରୋ, ବ୍ରିଟେନର ମାର୍ଗେଟ ଥାଚର, ଲିବିଆର ଶାସକ ମୁଆମାର ଗଦାଫି, ଇରାକର ଶାସକ ସଦ୍ଦାମ ହୁସେନ, ରୁଷିଆର ରାଷ୍ଟ୍ରପତି ବୋରିସ ୟେଲସ୍ତିନ ଏବଂ ଭ୍ଲାଡିମିର ପୁଟିନ ଏବଂ ପ୍ରାୟ ପ୍ରତ୍ୟେକ ଆମେରିକୀୟ ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଇଥିଲେ। ୨୦୦୪ରେ ଏକ ସାକ୍ଷାତକାରରେ ସେ କହିଥିଲେ, ମୁଁ କେବେ ଭାବି ନଥିଲି ଯେ ମୋର ଏହି ପ୍ରକାର ଜୀବନ ହେବ। ମୁଁ ଦୁନିଆର ସମସ୍ତଙ୍କୁ ଭେଟିଛି। ମୁଁ ଅନେକ ରାଜ୍ୟ ମୁଖ୍ୟ, ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ଏପରିକି ପ୍ରାୟ ସମସ୍ତ ରାଷ୍ଟ୍ରପତିଙ୍କୁ ଭେଟିଛି ।
ଜଣେ ଲେଖିକା ଏବଂ ସେଗ୍ମେଣ୍ଟ୍ ପ୍ରଡ୍ୟୁସର୍ ଭାବେ ୱାଲ୍ଟର୍ସ ୧୯୬୦ ଦଶକରେ ‘ଏନ୍ବିସି’ର ‘ଦି ଟୁଡେ ସୋ’ରେ ସାମ୍ବାଦିକତା କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୭୬ରେ ହ୍ୟାରି ରିଜ୍ନର୍ଙ୍କ ବିପକ୍ଷରେ ପ୍ରଥମ ମହିଳା ନେଟ୍ୱାର୍କ ନିଉଜ୍ ଆଙ୍କର୍ ଭାବେ ୱାଲଟର୍ସ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏ କଥା ସେତେବେଳ ମୁଦ୍ରିତ ଗଣମାଧ୍ୟମରେ ଆଲୋଚ୍ୟ ବିଷୟ ପାଲଟିଥିଲା। ଏକ ସମୟରେ ସେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଟେଲିଭିଜନ ଉପସ୍ଥାପିକା ଥିଲେ। ସେ ଏକ ନ୍ୟୁଜ ଚ୍ୟାନେଲରେ ବାର୍ଷିକ ୧୨ ମିଲିୟନ ଡଲାରର ଦରମା ପାଉଥିଲେ।
Powered by Froala Editor