ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କୀଙ୍କୁ ୩୩ ବର୍ଷ ଜେଲ

ମିଆଁମାରରେ ସାମରିକ ଶାସକର ଅତ୍ୟାଚାର ଜାରି ରହିଛି । ଲୋକପ୍ରିୟ ନେତ୍ରୀ ୭୭ ବର୍ଷୀୟା ଅଙ୍ଗ ସାଂ ସୁ କୀଙ୍କ ଉପରେ ଲଗାଯାଇଥିବା ଦୁର୍ନୀତି ଅଭିଯୋଗର ବିଚାର ଶୁକ୍ରବାର ଦିନ ମିଆଁମାରର ସାମରିକ ଅଦାଲତରେ ହୋଇଥିଲା । ଏଥିରେ ତାଙ୍କୁ ୩୩ ବର୍ଷର ଜେଲଦଣ୍ଡ ଦିଆଯାଇଛି ।
ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କୀ ଗତ ୨୦୨୧ରୁ ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି, ଓ୍ବାକି ଟକି ରଖିବା, କୋଭିଡ୍ ନିୟମ ଉଲ୍ଲଙ୍ଘନ ଆଦି ଅଭିଯୋଗ ଲଗାଯାଇଥିଲା । ଶୁକ୍ରବାର ଦିନ ଏସବୁ ଦୋଷକୁ ସାବ୍ୟସ୍ତ କରି ସାମରିକ ଅଦାଲତ ତାଙ୍କୁ ୩୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।
ସୁ କୀ ମ୍ୟାନମାରରେ ଦଶନ୍ଧି ଧରି ସାମରିକ ଶାସନ ବିରୋଧରେ ସଂଗ୍ରାମ କରିଛନ୍ତି। ସେ ଦଶନ୍ଧି ଧରି ସେଠାରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଚେଷ୍ଟା କରିଆସୁଛନ୍ତି। ତାଙ୍କୁ ୧୫ ବର୍ଷରୁ ଅଧିକ ସମୟ ପାଇଁ ଗୃହବନ୍ଦୀ କରି ରଖାଯାଇଥିଲା। ଗତ ୧୯୮୯ରୁ ୨୦୧୦ ପର୍ଯ୍ୟନ୍ତ ସେ ଗୃହବନ୍ଦୀ ଥିଲେ । ଜାତିସଂଘର ଚାପ ପରେ ତାଙ୍କୁ ମୁକୁଳାଯାଇଥିଲା ଓ ୨୦୧୨ରେ ଉପନିର୍ବାଚନ ଜିତି ସାଂସଦ ହୋଇଥିଲେ । ପରେ ୨୦୧୫ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବି ସେ ବିଜୟ ହାସଲ କରିଥିଲେ । ୧୯୯୧ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା । ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା।
Powered by Froala Editor