ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରୁହ : ବୈଠକ ଡାକିଲେ ଏସ୍ଆର୍ସି

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପଦକ୍ଷେପ ସ୍ବରୂପ ସ୍ୱରୂପ ଜିଲ୍ଲାପାଳ, ଏସପି, ଅଗ୍ନିଶମ, ଓଡ୍ରାଫ୍ ଏବଂ ଏନଡିଆରଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏସଆରସି ପ୍ରଦୀପ ଜେନା। ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେବା ସହ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୭୨ ଘଣ୍ଟାରେ ଅର୍ଥାତ୍ ୨୫ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏଯାଏ ଏହାର ସ୍ଥିତି, ରୂପ, ବାତ୍ୟା ହେବ କି ନାହିଁ ସେନେଇ କୌଣସି ଅନୁମାନ କରାଯାଇ ନାହିଁ । ପ୍ରାକ୍ ଆକଳନ ଅନୁସାରେ, ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ମେ ୨୬ ସନ୍ଧ୍ୟା ସମୟରେ ପହଞ୍ଚିପାରେ ।
ଏହି ସମ୍ଭାବନାକୁ ଭିତି କରି ପ୍ରାକ୍ ଆକଳନ ସ୍ୱରୂପ ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଏବଂ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି ଏବଂ ଏ ସମୟରେ ଆଉ କେହି ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ଉପକୂଳବର୍ତୀ ଅଂଚଳରେ ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇ ଏ ବିଷୟରେ ଜଣାଇ ଦିଆଯିବ ବୋଲି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor