ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଜଧାନୀ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହାରିବା ସତ୍ତ୍ୱେ ବିଜେପି ପକ୍ଷରୁ ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ମଙ୍ଗଳବାର ଘୋଷଣା କରାଯାଇଛି। ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଥିବା ବେଳେ ଦଳ ରେଖା ଗୁପ୍ତାଙ୍କୁ ଚୟନ କରିଛି। ସେ ପୂର୍ବରୁ ସାଲିମାର ବାଗ୍ରୁ ୩ ଥର କାଉନ୍ସିଲର ଥିଲେ। ଅନ୍ୟପକ୍ଷେ, ବିଜେପି ଦ୍ବାରକା କାଉନ୍ସିଲର କମଲଜିତ୍ ସେହରାଓ୍ବତଙ୍କୁ ଷ୍ଟାଣ୍ଡିଂ କମିଟି ମେମ୍ବର ପଦବୀ ପାଇଁ ବାଛିଥିବା ବେଳେ କମଲ ବାଗ୍ରିଙ୍କୁ ଡେପୁଟି ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି।
ଦିଲ୍ଲୀ ଏମସିଡିରେ ଆପ୍ର ସବୁଠାରୁ ଅଧିକ କର୍ପୋରେଟର ଅଛନ୍ତି। ଏଥିପାଇଁ ଦଳ ମେୟର ନିର୍ବାଚନ ଜିତିବ ବୋଲି ଆଶା ରଖିଛି। ଦଳ ପକ୍ଷରୁ ଶେଲୀ ଓବରୟଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ଡେପୁଟି ମେୟର ପ୍ରାର୍ଥୀ କରାଯାଇଛି।
ଆସନ୍ତା ଜାନୁଆରୀ ୬ରେ ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ କୌଣସି ମନୋନୀତ ସଦସ୍ୟ ଭୋଟ ଦେଇପାରିବେ ନାହିଁ। ନବନିର୍ବାଚିତ କର୍ପୋରେଟରଙ୍କ ସମେତ ୧୪ ଜଣ ବିଧାୟକ ଓ ୧୦ ଜଣ ସାଂସଦ ଭୋଟ ଦେଇପାରିବେ। କର୍ପୋରେଟରଙ୍କ ବ୍ୟତୀତ ଏମସିଡିକୁ ୧୪ ଜଣ ବିଧାୟକ ମନୋନୀତ ହୋଇଥାଆନ୍ତି। ପ୍ରତିବର୍ଷ ଏମାନେ ବଦଳନ୍ତି। ବର୍ତ୍ତମାନ ୧୪ ମନୋନୀତ ବିଧାୟକଙ୍କ ମଧ୍ୟରୁ ୧୨ କିମ୍ବା ୧୩ ଜଣ ଆପ୍ରୁ ଓ ଜଣେ କି ଦୁଇ ଜଣ ବିଜେପିରୁ ମନୋନୀତ ହେବେ। ଏହାବାଦ ଲୋକସଭାରୁ ୭ ଜଣ ଓ ରାଜ୍ୟସଭାର ୩ ଜଣ ସାଂସଦ ମଧ୍ୟ ମନୋନୀତ ସଦସ୍ୟ। ଏମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ।
Powered by Froala Editor