ରଥ ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ, କାଠ ଚିହ୍ନଟ ଅନୁକୂଳ
ପୁରୀ/ନୟାଗଡ଼: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ରଥଯାତ୍ରା ୨୦୨୩ରେ ରଥତ୍ରୟ ନିର୍ମାଣ ପାଇଁ ରଥ କାଠ ଯୋଗାଡ଼ ହେବ । ପରମ୍ପରା ଅନୁସାରେ ୨୭ ତାରିଖ ମଙ୍ଗଳବାର ବଡ଼ମୂଳସ୍ଥିତ ମା’ବଡ଼ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ । ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନର ୩ଜଣିଆ ପ୍ରତିନିଧି ଦଳ ନୟାଗଡ଼ ଯାତ୍ରା କରିଛନ୍ତି । ସନ୍ଧ୍ୟାରେ ସେମାନେ ନୟାଗଡ଼ରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର କାର୍ୟ୍ୟାଳୟ ଯୋଗାଇଥିବା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ପତନି,ମାଳ, ମାହାର୍ଦ୍ଦ, ଶ୍ରୀଫଳ ଆଦି ପୂଜା ସାମଗ୍ରୀ ସାଙ୍ଗରେ ନେଇଛନ୍ତି । ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ନୟାଗଡ଼ରେ ପହଞ୍ଚିଛନ୍ତି । ମଙ୍ଗଳବାର ଗଣିଆ ବ୍ଲକ୍ ମା’ ବଡ଼ରାଉଳ ଠାକୁରାଣୀଙ୍କୁ ପୂଜା କରି ପାରମ୍ପରିକ ବିଧି ମତେ ରଥ କାଠ ଚିହ୍ନଟ ଅନୁକୂଳ ହେବ ।ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ହୋଇଥାଏ । ଏଥିସହ ଲୋଡ଼ା ହୁଏ ୧୦୦ ଖଣ୍ଡ କଞ୍ଚା କାଠ । ୨୦୨୨ ରଥଯାତ୍ରା ଠାରୁ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଚ୍ଛିତ ରହିଛି । ୨୦୨୩ ରଥ ଯାତ୍ରା ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକତା ଅଛି । ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡ ରଥଖଳାକୁ ଆସିବ ୩୪୧ କାଠ । କଟକ ଖପୁରିଆସ୍ଥିତ କରତ କଳକୁ ଯିବ ୪୦୬ ଖଣ୍ଡ । ଏଥିରେ ଅସନ, ଧଉରା, ଫାସୀ ଓ ଶିମିଳି ଆଦି କାଠ ରହିଥାଏ । ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମ ଦଫା ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବ ।
Powered by Froala Editor