ଜେପି ନଡ୍ଡା ଓ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କଂଗ୍ରେସର ଚେତାବନୀ

ନୂଆଦିଲ୍ଲୀ: କଂଗ୍ରେସ ଏବେ ଏକ ‘ଟୁଲକିଟ’ ମାଧ୍ୟମରେ ଦେଶକୁ ବଦନାମ କରିବାକୁ ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛି ଏବଂ ଏହି ଆଧାରରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲ ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାମାନେ ଟ୍ୱିଟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସୋସିଆଲ ମିଡିଆରେ ଏହି ଟୁଲକିଟ ସେୟାର କରିବା ସହ କଂଗ୍ରେସର ଗବେଷଣା କମିଟି ଏହି ଟୁଲକିଟ ପ୍ରସ୍ତୁତ କରିଥିବା କହିଛନ୍ତି । ନୂଆ ରୂପାନ୍ତରିତ କରୋନା ଭୂତାଣୁ ‘ଇଣ୍ଡିଆନ ଷ୍ଟ୍ରେନ’ ଏବଂ ‘ମୋଦି ଷ୍ଟ୍ରେନ’ ଭାବେ ପ୍ରଚାର କରାଇବାକୁ ଏହି ଟୁଲକିଟରେ କୁହାଯାଇଛି । ଏବଂ କଂଗ୍ରେସ ନେତାମାନେ ସେହି ଆଧାରରେ କାମ କରୁଛନ୍ତି । କୁମ୍ଭ ମେଳାକୁ ‘ସୁପର ସ୍ପ୍ରେଡର’ କାର୍ଯ୍ୟକ୍ରମ ଭାବେ ପ୍ରଚାର କରିବା ସହ କୋଭିଡ ମୃତକଙ୍କ ଅନ୍ତିମ ସଂସ୍କାର ସମୟର ଫଟୋକୁ ଅଧିକ ଫୋକସ କରି ସୋସିଆଲ ମିିଡିଆରେ ପୋଷ୍ଟ କରିବାକୁ କୁହାଯାଇଛି । ଏହା ସହ ବିଦେଶୀ ଗଣମାଧ୍ୟମରେ ଯେଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲଗାତାର ବଦନାମ କରାଯିବ ସେ ଦିଗରେ ନିରନ୍ତର କାମ କରିବାକୁ ଏହି ଟୁଲକିଟରେ ଦର୍ଶାଯାଇଛି ବୋଲି ବିଜେପି କହିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଏହି ଟୁଲକିଟକୁ ନକଲି ବୋଲି କହିବା ସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବ ବୋଲି କହିଛି । ଏହି ଦୁଇ ବିଜେପି ନେତାଙ୍କ ବିରୋଧରେ କଂଗ୍ରେସ ଏଫଆଇଆର ରୁଜୁ କରିବାକୁ ଚେତାବନୀ ଦେଇଛି ।
Powered by Froala Editor