ପିଲାମାନଙ୍କ ପାଇଁ ଆରମ୍ଭ ହେବ କରୋନା ଟିକା ପରୀକ୍ଷଣ
ନୂଆଦିଲ୍ଲୀ: ଆଗାମୀ ୧୦ରୁ ୧୨ ଦିନ ଭିତରେ ପିଲାମାନଙ୍କ ପାଇଁ ଭାରତରେ କରୋନା ଟିକା ପରୀକ୍ଷଣ ଆରମ୍ଭ ହେବ । ଏ ବାବଦରେ ନୀତି ଆୟୋଗ ସଦସ୍ୟ ଡ. ଭି.କେ. ପଲ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ର ନୈଦାନିକ ପରୀକ୍ଷଣ ନିମନ୍ତେ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମତି ମିଳିସାରିଛି ବୋଲି ଡ. ପଲ ସୂଚନା ଦେଇଛନ୍ତି । ଆଗାମୀ ୧୦-୧୨ ଦିନରେ ପିଲାଙ୍କ ପାଇଁ ଏହି ଟିକା ପରୀକ୍ଷଣ ଆରମ୍ଭ ହୋଇଯିବ ଏବଂ ଏଥିପାଇଁ ନିର୍ଦ୍ଧାରିତ ପରୀକ୍ଷଣ କେନ୍ଦ୍ର ମଧ୍ୟ ଚିହ୍ନଟ ହୋଇସାରିଛି ବୋଲି ସେ କହିଛନ୍ତି । ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଆଶଙ୍କା ଥିବାରୁ ସରକାର ଏ ଦିଗରେ ଯୁଦ୍ଧସ୍ତରରେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷରେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ ଔଷଧକୁ ମଧ୍ୟ କରୋନା ଚିକିତ୍ସା ପ୍ରୋଟୋକଲରେ ସାମିଲ କରିବାକୁ ବିଚାର କରାଯାଉଛି ଏବଂ ଏ ବାବଦରେ ଜାତୀୟ ଟାସ୍କ ଫୋର୍ସ ଆବଶ୍ୟକ ଯାଞ୍ଚ କରି ନିଷ୍ପତ୍ତି ନେବ ବୋଲି ଡ. ପଲ କହିଛନ୍ତି ।
Powered by Froala Editor