ଉମର ଖାଲିଦଙ୍କୁ ଆଶ୍ୱସ୍ତି : ମିଳିଲା ୧ ସପ୍ତାହ ପାଇଁ ଅନ୍ତରୀଣ ଜାମିନ

ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ଜେଏନ୍ୟୁ ଛାତ୍ର ଅଭିଯୁକ୍ତ ଉମର ଖାଲିଦଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୨୦ ରୁ ଜେଲରେ ଥିବା ଉମର ଖାଲିଦଙ୍କୁ ଦିଲ୍ଲୀର ଏକ କୋର୍ଟ ୧ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ନିଜ ଭଉଣୀଙ୍କ ବିବାହରେ ଯୋଗ ଦେବାକୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ଆଦେଶ ଅନୁଯାୟୀ ଉମର ଖାଲିଦଙ୍କୁ ଡିସେମ୍ବର ୩୦ରେ ଆତ୍ମସମର୍ପଣ କରିବାକୁ ପଡ଼ିବ ।
ଚଳିତ ମାସ ପ୍ରାରମ୍ଭରେ ଦିଲ୍ଲୀର କଡ଼କରଡୁମା ଅଦାଲତ ଉମର ଖାଲିଦ ଏବଂ ‘ୟୁନାଇଟେଡ୍ ଏଗେନଷ୍ଟ ହେଟ୍’ ସଦସ୍ୟ ଖାଲିଦ ସୈଫିଙ୍କୁ ୨୦୨୦ ଦିଲ୍ଲୀ ଦଙ୍ଗା ସହ ଜଡିତ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହି ମାମଲାରେ ଦୁହେଁ ଜାମିନରେ ମୁକ୍ତ ହୋଇଥିଲେ କିନ୍ତୁ ଅନ୍ୟ କେତେକ ମାମଲାରେ ଜେଲରେ ରହିଛନ୍ତି । ଉମର ଖାଲିଦ ଏବଂ ଖାଲିଦ ସୈଫିଙ୍କୁ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।
ସୂଚନା ମୁତାବକ, ବିବାହରେ ଯୋଗଦେବା ପାଇଁ ଅଭିଯୁକ୍ତ ଉମର ଦୁଇ ସପ୍ତାହ ପାଇଁ କୋର୍ଟରୁ ଜାମିନ ମାଗିଥିଲେ। କିନ୍ତୁ କୋର୍ଟ ଏକ ସପ୍ତାହ ଅର୍ଥାତ ଡିସେମ୍ବର ୨୩ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି।
Powered by Froala Editor