କରୋନା ମୃତକଙ୍କ ପରିବାର ପାଇଁ କେଜ୍ରିୱାଲଙ୍କ ବଡ଼ ଘୋଷଣା, ପଢ଼ନ୍ତୁ କ’ଣ...
କରୋନା ମହାମାରୀ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗରିବଙ୍କଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ଘୋଷଣା କରିଛନ୍ତି ପ୍ୟାକେଜ୍ । ଏଣିକି ଦିଲ୍ଲୀରେ ଯଦି କୌଣସି ବ୍ୟକ୍ତି କରୋନାରେ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ସହାୟତା ଭାବେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । କେବଳ ସେତିକି ନୁହେଁ, ଯଦି କରୋନାରେ ପିତାମାତାଙ୍କ ବିୟୋଗ ହୁଏ ଏବଂ ପିଲାମାନେ ଅନାଥ ହୋଇଯାନ୍ତି, ତେବେ ସେମାନଙ୍କୁ ଦିଲ୍ଲୀ ସରକାର ୨୫ ବର୍ଷ ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ଲେଖାଏଁ ଦିଆଯିବ । ମାଗଣାରେ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ ।
ସେହିଭଳି ଦିଲ୍ଲୀରେ ବସବାସ କରୁଥିବା ୭୨ଲକ୍ଷ ରାସନ କାର୍ଡଧାରୀଙ୍କୁ ଚଳିତ ମାସରୁ ମାଗଣାରେ ରାସନ୍ ଦିଆଯିବ ଏବଂ ସେମାନଙ୍କଠାରୁ ଟଙ୍କାଟିଏ ବି ନିଆଯିବ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଏହି ରାସନ କାର୍ଡଧାରୀଙ୍କୁ ୫ କିଲୋ ମାଗଣା ରାସନ୍ ମିଳୁଛି । ଏବେ ଏମାନଙ୍କୁ ମାସକୁ ୧୦କିଲୋ ମାଗଣା ରାସନ୍ ମିଳିବ ।
ଏଭଳି ସ୍ଥିତିରେ ଯେଉଁ ଲୋକ ଅଧିକ ଗରିବ ଶ୍ରେଣୀର ଅଛନ୍ତି ଅର୍ଥାତ୍ ଯେଉଁମାନଙ୍କର ରାସନ୍ କାର୍ଡ ନାହିଁ, ସେମାନଙ୍କୁ ମଧ୍ୟ ଦିଲ୍ଲୀ ସରକାର ରାସନ୍ ଯୋଗାଇ ଦେବ । ଏଥିରେ କୌଣସି ପ୍ରକାରର ଡକୁମେଣ୍ଟ ମଗାଯିବ ନାହିଁ ।
Powered by Froala Editor