ଇତିହାସ ରଚିଲେ ବବି : ଦିଲ୍ଲୀର ପ୍ରଥମ ଟ୍ରାନ୍ସଜେଣ୍ଡର କାଉନସିଲର
ଦିଲ୍ଲୀ ମହାନଗର ନିଗମ(ଏମ୍ସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବବି କିନ୍ନର ଇତିହାସ ରଚିିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି ପ୍ରଥମ କିନ୍ନର କାଉନସିଲର। ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଏମ୍ସିଡିର କାଉନସିଲର ହେବେ। ନିର୍ବାଚନରେ ସେ ସୁଲତାନପୁରୀ ୪୩ଏ ୱାର୍ଡରୁ ବିଜେତା ହୋଇଛନ୍ତି।
ଆପ୍ ପକ୍ଷରୁ ବବିଙ୍କୁ ସୁଲତାନପୁର ମାଜ୍ରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଲତାନପୁରୀର ୪୩ ଏ ୱାର୍ଡରୁ ପ୍ରାର୍ଥୀ କରାଯାଇଥିଲା। ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ମଧ୍ୟ ଆଶା କରାଯାଇଥିଲା। କିନ୍ତୁ ବବି ଏକତରଫା ଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବରୁଣା ଢାକାଙ୍କୁ ୬,୭୧୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।
ବବି କିନ୍ନର ୨୦୧୭ ରେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ ଜିତି ନ ଥିଲେ। ଏହାପୂର୍ବରୁ ସେ ଆନ୍ନା ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବରେ ଜଡିତ ଥିଲେ। ୯ମ ଯାଏ ପଢ଼ିଥିବା ବବି ୧୫ ବର୍ଷ ଧରି 'ହିନ୍ଦୁ ଯୁବା ସମାଜ ଏକତା ଆୱାମ ଆତଙ୍କବାଦ ବିରୋଧୀ କମିଟି'ର ଦିଲ୍ଲୀ ୟୁନିଟର ସଭାପତି ରହି ଆସିଛନ୍ତି। ଚଳିତ ବର୍ଷ ଆମ ଆଦମୀ ପାର୍ଟି ତାଙ୍କୁ ଟିକେଟ ଦେଇ ଚର୍ଚ୍ଚାକୁ ଆସିଥିଲା। ଦଳ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ କରିଥିଲା।
ବୃହତ ବ୍ୟବଧାନ ପରେ ବବି କହିଛନ୍ତି, “ମୋ ପାଇଁ କଠିନ ପରିଶ୍ରମ କରିଥିବା ଲୋକମାନଙ୍କୁ ମୁଁ ବିଜୟର ସବୁ ଶ୍ରେୟ ଦେବାକୁ ଚାହୁଁଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏବେ ମୁଁ କେବଳ ମୋ ଅଞ୍ଚଳର ବିକାଶ ପାଇଁ କାମ କରିବି। ଲୋକମାନଙ୍କ ଭରସାକୁ କେବେ ହେଲେ ଭାଙ୍ଗିବି ନାହିଁ।”
Powered by Froala Editor