ଜି-୨୦ ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ଜି-୨୦ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ସଂଧ୍ୟାରେ କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ଜି-୨୦ ଆୟୋଜନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଛନ୍ତି। ବୈଠକରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନ ଜରିଆରେ ଜି-୨୦ ପରିପେକ୍ଷୀରେ ଭାରତରେ ଆୟୋଜନ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ବିବରଣୀ ପ୍ରଦାନ କରାଯାଇଥିଲା।
ବୈଠକରେ ଯୋଗ ଦେବା ପୂର୍ବରୁ ଓଡ଼ିଶାରେ ଜି-୨୦ର କୌଣସି ବୈଠକ ଅନୁଷ୍ଠିତ ହେବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଥିଲେ ଏ ସଂପର୍କରେ ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଥିଲେ। କୋଣାର୍କରେ ଜି-୨୦ ବୈଠକ ହେବା ଯୋଜନା ରହିଥିବା ନେଇ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ବି ଏହା ଶୁଣୁଛି। ଭାରତରେ ଜି-୨୦ ବୈଠକ ଆୟୋଜନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି।
ଡିସେମ୍ବର ୧, ୨୦୨୨ରୁ ଭାରତ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଜି-୨୦ ସମ୍ମିଳନୀ ଅଧ୍ୟକ୍ଷତା ଦାୟିତ୍ବ ବହନ କରିଛି। ଏହି ସମୟ ମଧ୍ୟରେ ଭାରତର ୫୫ଟି ସ୍ଥାନରେ ପ୍ରାୟ ୨୦୦ ବୈଠକ ଆୟୋଜିତ ହେବ। ଆଜିର ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କ ସମେତ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଜି-୨୦ ସେର୍ପା ଅମିତାଭ କାନ୍ତ ପ୍ରମୁଖ ଯୋଗଦେଇଥିଲେ।
Powered by Froala Editor