‘ସିଟି ଅଫ ଜୟ’ର ଲେଖକ ଡୋମିନିକ୍ ଲାପିୟେର୍ ଆଉନାହାନ୍ତି
ଫରାସୀ ଲେଖକ ଡୋମିନିକ୍ ଲାପିୟେର୍ଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ଦିନ ଫରାସୀ ସମ୍ବାଦପତ୍ର ‘ଭାର୍-ମାଟିନ୍’କୁ ଔପନ୍ୟସିକ ଡୋମିନିକ୍ ଲାପିୟେର୍ଙ୍କ ପତ୍ନୀ ଡୋମିନିକ୍ କୋସୋନ୍-ଲାପିୟେର୍ କହିଛନ୍ତି, ବାର୍ଦ୍ଧକ୍ୟଜନିତ କାରଣରୁ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଲାପିୟେର୍ଙ୍କ ରଚିତ ଉପନ୍ୟାସ ବହି ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରୟ ହୁଏ।
୧୯୩୧ ମସିହା ଜୁଲାଇ ୩୦ ତାରିଖରେ ସାଟେଲେଲନ୍ରେ ଜନ୍ମିତ ଲାପିୟେର୍ ଆମେରିକୀୟ ଲେଖକ ଲାରି କଲିନ୍ଙ୍କ ସହିତ ମିଶି ଲେଖିଥିବା ୬ଟି ବହି ପ୍ରାୟ ୫୦ ନିୟୁତ କପି ବିକ୍ରୟ ହୋଇଥିଲା। ସେଥିରୁ ସବୁଠୁ ପ୍ରସିଦ୍ଧ ବହିଟି ହେଉଛି ‘ଇଜ୍ ପ୍ୟାରିସ୍ ବର୍ଣ୍ଣିଙ୍ଗ୍?’ ୧୯୮୫ ମସିହାରେ ତାଙ୍କ ରଚିତ ଉପନ୍ୟାସ ‘ସିଟି ଅଫ୍ ଜୟ’ ମଧ୍ୟ ବ୍ୟାପକ ପ୍ରସିଦ୍ଧି ଳାଭ କରିଛି। କୋଲ୍କାତାର ଜଣେ ରିକ୍ସାଚାଳକର ଦୁଃଖ ଯନ୍ତ୍ରଣା ଭରା କାହାଣୀ ଉପରେ ଏହି ଉପନ୍ୟାସ ଆଧାରିତ। ଏହି ଉପନ୍ୟାସକୁ ଆଧାର କରି ୧୯୯୨ରେ ଗୋଟାଏ ଚଳଚ୍ଚିତ୍ର ବି ମୁକ୍ତିଲାଭ କରିଥିଲା।
ରେକର୍ଡ଼ସ୍ତରୀୟ କପି ବିକ୍ରି ହେବାରେ ଅଦ୍ଭୁତ ସଫଳତାର ଅଧିକାରୀ ଡୋମିନିକ୍ ଲାପିୟେର୍ଙ୍କ ମୃତ୍ୟୁ ସାରସ୍ୱତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିବେଚନା କରାଯାଉଛି। ନିଜ ସ୍ୱାମୀଙ୍କୁ ହରାଇ ମର୍ମାହତ ହୋଇଥିବା ପତ୍ନୀ ଡୋମିନିକ୍ କୋସୋନ୍-ଲାପିୟେର୍ କହିଛନ୍ତି ଯେ, ଡୋମିନିକ୍ ଆଉ ଯନ୍ତ୍ରଣା ଭୋଗୁ ନଥିବାରୁ ସେ ଶାନ୍ତିରେ ଅଛନ୍ତି।
Powered by Froala Editor