ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକରେ ୮ ଘଣ୍ଟିଆ ବନ୍ଦ ପାଳନ
ଭଦ୍ରକ : ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ଭଦ୍ରକରେ ୮ ଘଣ୍ଟିଆ ବନ୍ଦ ପାଳନ। ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଅଖଚକ ବନ୍ଦ ରହିବ। ଭଦ୍ରକରେ ଏକ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ଆଜି ବନ୍ଦ ପାଳନ କରାଯାଉଛି। ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ଵୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ନଦିଆଯିବା ପର୍ୟ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ବରିଷ୍ଠ ନେତା କହିଛନ୍ତି ।
ଭଦ୍ରକ ନୂଆ ବସଷ୍ଟାଣ୍ଡ ଠାରେ ୧୬ ନମ୍ବର ଜାତୀୟ ରାଜପଥକୁ ଦୁଇ ଘଣ୍ଟା ହେଲା ଅବରୋଧ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆଇନ ଶୃଙ୍ଖଳା ଉପରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବନ୍ଦ ଅପରାହ୍ନ ଦୁଇଟା ପର୍ୟ୍ୟନ୍ତ ଚାଲିବ । ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଉଛି।
ସରକାରୀ କାର୍ୟ୍ୟାଳୟ, କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ରହିଛନ୍ତି । ଭଦ୍ରକବାସୀଙ୍କ ସ୍ୱାର୍ଥକୁ ନଜରରେ ରଖି ଜିଲ୍ଲା କଂଗ୍ରେସ ଏହି ନିଷ୍ପତ୍ତି ନେଇଛି ।
Powered by Froala Editor