ମୁସଲମାନ ମହିଳାଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ : ଜାମା ମସଜିଦର ଶାହି ଇମାମ
ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଅହମଦାବାଦ ଜାମା ମସଜିଦର ଶାହି ଇମାମ ଶବ୍ବୀର ଅହମ୍ମଦ ସିଦ୍ଦିକି ଏକ ବଡ଼ ବୟାନ ଦେଇଛନ୍ତି। ନିର୍ବାଚନରେ ମୁସଲମାନ ମହିଳାମାନଙ୍କୁ ଟିକେଟ୍ ଦେବାକୁ ଇସଲାମ ବିରୋଧୀ କହି ସେ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି।
ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୫ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୪ଟି ଜିଲାର ୯୩ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅହମ୍ମଦ ସିଦ୍ଦିକି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ସିଦ୍ଦିକି କହିଥିଲେ ଯେ, ନିର୍ବାଚନରେ ମୁସଲମାନ ମହିଳାମାନଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ। ଏମାନେ ଇସଲାମକୁ ଦୁର୍ବଳ କରୁଛନ୍ତି। କ’ଣ ପୁରୁଷଙ୍କ ଅଭାବ ରହିଛି କି? ପୁରୁଷମାନେ ଥାଇ ମହିଳାଙ୍କୁ କାହିଁକି ଟିକେଟ ଦିଆଯାଉଛି? ଏସବୁ ଜିନିଷ ଆରମ୍ଭ ହେଉଥିବାରୁ ଆମେ ହିଜାବକୁ ସୁରକ୍ଷିତ ରଖିପାରିବୁ ନାହିଁ। ମୁଁ ଏଭଳି ଆରମ୍ଭକୁ ବିରୋଧ କରୁଛି।
ସେ ଆହୁରି ମଧ୍ୟ କହିଥିଲେ, ଇସଲାମ ଧର୍ମରେ ନମାଜ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମସଜିଦ୍ରେ ନାମଜ ପାଠ କରିବାକୁ ମହିଳାଙ୍କୁ ଅନୁମତି ନାହିଁ। ଯଦି ମହିଳାମାନେ ଏହିପରି ସମସ୍ତଙ୍କ ସାମ୍ନାରେ ଆସିବା ଅନୁମତି ଥାନ୍ତା, ତେବେ ସେମାନଙ୍କୁ ମସଜିଦରୁ ଅଟକାଯାଇ ନ ଥାନ୍ତା। ସେଥିପାଇଁ ଯେଉଁମାନେ ନିର୍ବାଚନରେ ମୁସଲମାନ ମହିଳାଙ୍କୁ ଟିକେଟ ଦିଅନ୍ତି, ସେମାନେ ଇସଲାମ ବିରୋଧରେ ବିଦ୍ରୋହ କରୁଛନ୍ତି।
Powered by Froala Editor