କବାଟରେ ଫସିଗଲା ମୁଣ୍ଡ, ବାହାରେ ରହିଗଲା ଦେହ
ରାତିରେ ଚୋରି କରିବାକୁ ଚେଷ୍ଟା କରୁଥିଲେ । ହେଲେ କବାଟ ଫାଙ୍କରେ ଲାଖି ଯାଇଥିଲା ମୁଣ୍ଡ । ସେଠାରୁ ବାହାରିବାକୁ ଛଟପଟ ହୋଇଥିଲେ । ହେଲେ ରାତିରେ କିଏବା ଶୁଣିଥାନ୍ତା । ଶେଷରେ ପ୍ରାଣ ହରାଇଛନ୍ତି । ଏଭଳି ଏକ ଘଟଣା ବାରଣାସୀର ସାରନାଥରେ ଘଟିଛି । ସାରନାଥ ଥାନା ଅଞ୍ଚଳରେ ଥିବା ପାଓ୍ଵାରଲୁମ୍ ସେଣ୍ଟରର କବାଟରେ ଫସି ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତ ଯୁବକ ହେଲେ ୩୦ ବର୍ଷୀୟ ଜାଭେଦ, ଯିଏ କି, ପୂର୍ବରୁ ମଧ୍ୟ ଅନେକ ଚୋରି ଘଟଣାରେ ସଂଶ୍ଳିଷ୍ଟ ଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଜବତ କରିଛି।
କୁହାଯାଉଛି, ଚୋରି ଉଦ୍ଦେଶ୍ୟରେ ପାଓ୍ଵାରଲୁମ୍ରେ ପଶିବା ସମୟରେ ଜାଭେଦଙ୍କ ମୁଣ୍ଡ କବାଟରେ ଅଟକି ଯାଇଥିଲା, ଯାହାକୁ ଛଡ଼ାଇବାକୁ ଚେଷ୍ଟା କଲା ବେଳେ ସେ ପ୍ରାଣ ହରାଇଥିଲେ। ସକାଳେ ଯେତେବେଳେ ଲୋକେ ନିଜ ନିଜ ଘରୁ ବାହାରିଥିଲେ, ପାଓ୍ଵାରଲୁମ୍ ସେଣ୍ଟରର କବାଟରେ ଜାଭେଦ ଫସି ରହିଥିବାର ଦେଖିବାକୁ ପାଇଥିଲେ। ପାଖକୁ ଯିବା ପରେ ଗ୍ରାମବାସୀ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ।
ଏହି ଘଟଣାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଉକ୍ତ ପାଓ୍ଵାରଲୁମ୍ ନିଜାମ୍ ନାମକ ଯୁବକଙ୍କର, କାମ ନ ମିଳିବାରୁ ଲୁମ୍ ୨ ଦିନ ହେବ ବନ୍ଦ ରହିଥିଲା। କବାଟର ଉପର ପଟେ ଲକ୍ ଲାଗିଥିଲା। ଆଶଙ୍କା କରାଯାଉଛି ଯେ ଚୋରି ଉଦ୍ଦେଶ୍ୟରେ ପଶିବା ସମୟରେ ଯୁବକ କବାଟକୁ ଟାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସଫଳ ହୋଇପାରି ନ ଥିଲେ, ଯାହାଫଳରେ ତାଙ୍କ ମୁଣ୍ଡ ସେଥିରେ ଫସି ଯାଇଥିଲା, ଆଉ ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor