ସାଂଘାତିକ ବିପର୍ଯ୍ୟୟ ଆଣିବ ନୂଆ ଭୂତାଣୁ, ବେଶି ସଂକ୍ରମିତ କରିବ ଶିଶୁମାନଙ୍କୁ
ସିଙ୍ଗାପୁର : ଭାରତରେ ପ୍ରଥମେ ଦ୍ୱୈତ ରୂପାନ୍ତରିତ କରୋନା ଭୂତାଣୁ ଭଳି ସିଙ୍ଗାପୁରରେ ଦେଖାଦେଇଥିବା ଏକ ନୂଆ ପ୍ରଜାତିର ଭୂତାଣୁ ସାଂଘାତିକ ବିପର୍ଯ୍ୟୟ ଆଣିବ ବୋଲି ସିଙ୍ଗାପୁର ସରକାର ସତର୍କ କରାଇ ଦେଇଛନ୍ତି । ଏହି ଭୂତାଣୁ ଶିଶୁମାନଙ୍କୁ ବେଶି ସଂକ୍ରମିତ କରିବାର ଆଶଙ୍କା ଥିବାରୁ ସରକାର ବୁଧବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି । ଦେଶରେ ମାସ ମାସ ଧରି ସଂକ୍ରମଣ ଶୂନ ରହିବା ପରେ ନିକଟରେ ସ୍ଥାନୀୟ ସଂକ୍ରମଣ ଅହେତୁକ ଭାବେ ବଢ଼ିବାରୁ ସରକାର କଡ଼ା କଟକଣା ଲଗାଇଛନ୍ତି । ରବିବାର ୩୮ଟି ସ୍ଥାନୀୟ ସଂକ୍ରମଣ ଦେଖାଯାଇଥିଲା ଯାହା ୮ ମାସ ଭିତରେ ସର୍ବାଧିକ । ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ ଏ କୁଙ୍ଗ ଏ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି । ଭାରତରେ ପ୍ରଥମେ ଦେଖାଦେଇଥିବା ବି.୧.୬୧୭ ନାମକ ଏହି ନୂତନ ପ୍ରଜାତିର କରୋନାଭୂତାଣୁ ଅଧିକ ସଂକ୍ରମଣଶୀଳ ହେବା ସହ ଶିଶୁ ଓ କିଶୋରମାନଙ୍କୁ ବେଶି ଆକ୍ରାନ୍ତ କରୁଛି ବୋଲି ଶିକ୍ଷାମନ୍ତ୍ରୀ ଚାନ ସୁଙ୍ଗ ସିଙ୍ଗ କହିଛନ୍ତି । ଯଦିଓ ଏଥିରେ ସଂକ୍ରମିତ ଶିଶୁମାନେ ଗୁରୁତର ଅସୁସ୍ଥ ହୋଇନାହାନ୍ତି, ତେବେ ସରକାରଙ୍କ ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି । ତେଣୁ ସରକାର ତୁରନ୍ତ ୧୬ ବର୍ଷରୁ କମ ବୟସର ଶିଶୁମାନଙ୍କୁ କୋଭିଡ ଟିକା ଦେବାର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି ।
Powered by Froala Editor