କରୋନାରେ ଗୋଟିଏ ଦିନରେ ୫୦ ଡାକ୍ତରଙ୍କ ମୃତୁ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ଆଜି ପର୍ଯ୍ୟନ୍ତ ଦେଶରେ ୨୪୪ ଜଣ ଡାକ୍ତର ପ୍ରାଣ ହରାଇଲେଣି । ତେବେ ଚିନ୍ତାର ବିଷୟ ହେଲା ଗତ ରବିବାର ଗୋଟିଏ ଦିନରେ ଏହି ମହାମାରୀ ୫୦ ଜଣ ଡାକ୍ତରଙ୍କର ଜୀବନ ନେଇଛି । ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ରେଜିଷ୍ଟ୍ରିର ତଥ୍ୟରୁ ଏହା ଜଣାଯାଇଛି । ଦ୍ୱିତୀୟ ଲହରରେ ମୃତୁ୍ୟବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ସର୍ବାଧିକ ୬୯ ଜଣଙ୍କର ବିହାରରେ ମୃତୁ୍ୟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୪ ଜଣ, ଦିଲ୍ଲୀରେ ୨୭ ଜଣ ଡାକ୍ତର ମରିଛନ୍ତି । ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଦୁଇଟି ଯାକ ଟିକା ଡୋଜ୍ ନେଇଥିଲେ । ଆଇଏମଏ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କରୋନାରେ ମୃତୁ୍ୟବରଣ କରିଥିବା ସବୁଠୁ କନିଷ୍ଠ ଡାକ୍ତର ହେଲେ ଡା. ଅନାସ ମୁଜାହିଦ । ତାଙ୍କର ବୟସ ୨୫ ବର୍ଷ । ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲାରେ ରେସିଡେଣ୍ଟ ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେହିଭଳି ସବୁଠୁ ବୟସ୍କ ଡାକ୍ତର ହେଉଛନ୍ତି ବିଶାଖାପାଟଣାର ଡା ଏସ ସତ୍ୟମୂର୍ତ୍ତି । ତାଙ୍କର ବୟସ ୯୦ ବର୍ଷ ହୋଇଥିବାବେଳେ ସେ ଇଏନଟିର ଜଣେ ଅବସରପ୍ରାପ୍ତ ପ୍ରଫେସର । ତେବେ ଗତବର୍ଷ ପ୍ରଥମ ଲହରରେ ଦେଶରେ ୭୩୦ ଜଣ ଡାକ୍ତରଙ୍କ ପ୍ରାଣ ଯାଇଥିଲା ବୋଲି ଆଇଏମଏ କହିଛି ।
Powered by Froala Editor