ଜାମା ମସଜିଦ୍କୁ ଯାଇପାରିବେ ଝିଅ, ହଟିଲା କଟକଣା
ଜାମା ମସଜିଦରେ ଝିଅମାନଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ଜାମା ମସ୍ଜିଦ୍ରେ ବିନା ପୁରୁଷରେ ମହିଳାଙ୍କ ପ୍ରବେଶ ଉପରେ ବ୍ୟାନ୍ ଲାଗିବା ପରେ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଛନ୍ତି ମସ୍ଜିଦ୍ ପରିଚାଳନା କମିଟି ଓ ମଜ୍ଦିର ଇମାମ। ଭାରତରେ ଇରାନ ଭଳି ନିୟମ ଲାଗୁ କରାଯାଇଛି ବୋଲି ମହିଳା କମିଶନ ସମାଲୋଚନା କରିବା ପରେ କଟକଣା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି ମସ୍ଜିଦ୍ର ଇମାମ ବୁଖାରୀ। ଜାମା ମସଜିଦର ଶାହି ଇମାମ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ରାଜି ହେବା ପରେ ନୋଟିସକୁ ପ୍ରତ୍ୟାହାର କରି ନିଆଯାଇଛି।
ଜାମା ମସଜିଦ କର୍ତ୍ତୃପକ୍ଷଙ୍କ ଝିଅମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା ଓ ପ୍ରଶଂସା କରାଯାଇଥିଲା। ଏସବୁ ଭିତରେ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଜାମା ମସଜିଦର ଶାହି ଇମାମଙ୍କ ସହ କଥା ହୋଇଥିଲେ। ଏଥିସହ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକ୍ରମେ ଶାହି ଇମାମ ଏପରି ପଦକ୍ଷେପ ନେଇଛନ୍ତି।
ଜାମା ମସଜିଦର ମୁଖ୍ୟ ଗେଟ୍ଗୁଡ଼ିକରେ କର୍ତ୍ତୃପକ୍ଷ ଗୋଟିଏ ନୋଟିସ ଦ୍ୱାରା ଝିଅମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ସମସ୍ତଙ୍କୁ ଜଣାଇ ଦେଇଥିଲେ। ସେହିପରି ମସିଜିଦ ପରିସରରେ କୌଣସି ଭିଡିଓ ମ୍ୟୁଜିକ ସହ କେହି ବି ଶୁଟିଂ କରିପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ମସଜିଦର ଶାହି ଇମାମ କହିଥିଲେ ଯେ ଏହି ନିର୍ଦ୍ଦେଶନାମା ଏଠାକୁ ପ୍ରାର୍ଥନା କରିବାକୁ ଆସୁଥିବା ଝିଅମାନଙ୍କ ଉପରେ ଲାଗୁ ହେବନି। ତଥାପି କିଛି ମହିଳା ସଂଗଠନ ଓ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷ ସ୍ୱାତି ମାଲିୱାଲ ଏପରି କଟକଣାକୁ ବିରୋଧ କରିଥିଲେ।
Powered by Froala Editor