ତାଳଚେରରେ ଆରମ୍ଭ ହେବ ନୂଆ ତାପଜ ୟୁନିଟ

ତାଳଚେରରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ନୂଆ ତାପଜ ବିଦ୍ୟୁତ୍ ୟୁନିଟ୍ । ସେଠାରେ ଅଲଟ୍ରା ମେଗା ୟୁନିଟ୍ ନେଇ ନିଷ୍ପତ୍ତି ହୋଇଛି ଏବଂ ପୁରୁଣା ୟୁନିଟ୍ ମଧ୍ୟ ଜାରି ରହିବ । ଏନେଇ ଏନ୍ଟିପିସି ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ରାଜ୍ୟ ସରକାର ଏବଂ ଏନ.ଟି.ପି.ସି. ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଲଚେରରେ ରାଜ୍ୟର ବିଦ୍ୟୁତ ଚାହିଦା ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଲଟ୍ରା-ମେଗା ପାୱାର ୟୁନିଟ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ନୂଆ ୟୁନିଟର ପ୍ରତିଷ୍ଠା ଉତ୍ପାଦିତ ବିଦ୍ୟୁତର ବିପଣୀ ଓ କାରବାର ସମ୍ବନ୍ଧରେ ଗ୍ରୀଡକୋ ଏବଂ ଏନଟିପିସି ମିଳିତ ଭାବେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସ୍ଥିର ହୋଇଥିଲା। ଏ ବିଷୟରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଏନଟିପିସିର ଅଧ୍ୟକ୍ଷ ଗୁରୁଦୀପ ସିଂହ କହିଥିଲେ।
ସୂଚନା ଯେ, ଏହି ନୂଆ ୟୁନିଟ୍ ହେବା ଯାଏ , ପୁରୁଣା ୟୁନିଟ୍ ଚାଲୁ ରହିବ । ନୂଆ ୟୁନିଟ୍ର ପ୍ରତିଷ୍ଠା ଓ ବିଦ୍ୟୁତ୍ ବିପଣନ କରିବ ଗ୍ରୀଡ୍କୋ । ନୂଆ ୟୁନିଟ୍ରେ ୭ହଜାର ୭୦୦କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଓଡ଼ିଶା ସରକାର ଭୂମି, ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ ବୋଲି ରାଜ୍ୟମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଏନ୍ଟିପିସି ଚେୟାରମ୍ୟାନ୍ ଜଣାଇଛନ୍ତି ।