ଲୋକଙ୍କ ସେବା କରିବା ଦ୍ୱାରା ସମାଜରେ ପରିବର୍ତ୍ତନ ଆସିବ:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ନୂତନ ଭାବେ ନିଯୁକ୍ତ ପାଇଥିବା ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଯୋଗ ଦେବା ସମୟରେ ନିଷ୍ଠାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରନ୍ତୁ । ଲୋକଙ୍କ ସେବା କରିବା ଦ୍ୱାରା ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ରୋଜଗାର ମେଳା ଅନ୍ତର୍ଗତ ନିଯୁକ୍ତିପତ୍ର ବିତରଣ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ରେଳ ଅଡିଟୋରିୟମ ଠାରେ ରାଜ୍ୟରେ ରୋଜଗାର ମେଳାର ଦ୍ୱିତୀୟ ପର୍ୟ୍ୟାୟର ଶୁଭାରମ୍ଭ କରିବା ସହ ୩୮୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯୁବକ ଯୁବତୀମାନେ କାର୍ୟ୍ୟରେ ଯୋଗଦେବା ପାଇଁ ଯିବା ବେଳେ ନିଜର ‘କର୍ତ୍ତବ୍ୟ ପଥ’କୁ ସବୁବେଳେ ମନେ ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଏଠାରେ ଉପସ୍ଥିତ ଯୁବସାଥୀମାନେ ସର୍ବୋପରି ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଥେୟ କରନ୍ତୁ । ଶହୀଦ ଲକ୍ଷ୍ମଣ ନାଏକ ଦେଶସେବା ପାଇଁ ବଳିଦାନ ଦେଇଥିଲେ । ଉତ୍କଳ କେଶରୀ ଡା. ହରେକୃଷ୍ଣ ମହତାବ ଆମ ଓଡ଼ିଆ ଜାତିକୁ ନୂଆ ଦିଗଦର୍ଶନ ଦେଇଥିଲେ । ଏହି କାରଣରୁ ଆମେ ସାମ୍ପ୍ରତିକ ସମୟରେ ଉପନୀତ ହୋଇଛେ । ଅର୍ଥାତ୍ ଜଣେ କର୍ତ୍ତବ୍ୟ ନେଲେ ଅନେକ ଲୋକଙ୍କର ଅଧିକାର ସୁରକ୍ଷିତ ରୁହେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନିଯୁକ୍ତିପତ୍ର ପାଇଥିବା ଯୁବକ ଯୁବତୀମାନେ ଆସାମ ରାଇଫଲ୍ସ, ଏମ୍ସ ଭୁବନେଶ୍ୱର, ବିଏସଫ, ସିଆଇଏସଏଫ, ରେଳ, ଇଏସଆଇସି, ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ, ଆଇଆଇଟି ଭୁବନେଶ୍ୱର, ଇନକମ ଟ୍ୟାକ୍ସ, ଆଇଟିବିପି, ଡାକ ବିଭାଗ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସଶସ୍ତ୍ର ସୀମା ବଳ ଓ ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହରେ କାମ କରିବାର ସୁଯୋଗ ପାଇଛନ୍ତି । ଆଜିର ନିଯୁକ୍ତି ମାଧ୍ୟମରେ ୧୩୦ କୋଟି ଭାରତୀୟଙ୍କ ସେବା କରିବା ଭଳି ଗୁରୁ ଦାୟିତ୍ୱ ଯୁବସାଥୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଚାକିରି ନୁହେଁ ବରଂ ଭାରତୀୟଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି ।
ରୋଜଗାର ମେଳା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅକ୍ଟୋବର ୨୨ ତାରିଖ ଦିନ ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ଏହି ଦିନ ପ୍ରଥମ ପର୍ୟ୍ୟାୟରେ ଦେଶର କୋଣ ଅନୁକୋଣରେ ୭୫,୦୦୦ ଯୁବକଯୁବତୀଙ୍କୁ ଏକକାଳୀନ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଆଜି ମଧ୍ୟ ଅନୁରୂପ ଭାବରେ ଦ୍ୱିତୀୟ ପର୍ୟ୍ୟାୟରେ ଦେଶର ୪୫ଟି ସ୍ଥାନରେ ୭୧,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।
Powered by Froala Editor