ଆଜିଠୁ ୨ୟ ପର୍ୟ୍ୟାୟ ଏମ୍ବିବିଏସ୍ ଓ ବିଡିଏସ୍ ନାମଲେଖା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଦ୍ୱିତୀୟ ପର୍ୟ୍ୟାୟ ଏମ୍ବିବିଏସ୍ ଓ ବିଡିଏସ୍ ନାମଲେଖା ମଙ୍ଗଳବାରଠୁ ଆରମ୍ଭ ହୋଇ ୨୪ରେ ସରିବ । ଦ୍ୱିତୀୟ ପର୍ୟ୍ୟାୟ କାଉନସେଲିଂ ପାଇଁ ହାଇଟେକ୍ ମେଡିକାଲ୍ କଲେଜର ୨୦୩ ଘରୋଇ ସିଟ୍କୁ ମିଶାଇ ମୋଟ୍ ୩୩୯ଟି ସିଟ୍ ବଳକା ରହିଛି । ଏହି ସିଟ୍ ଗୁଡ଼ିକରେ ନାମଲେଖା ହେବ। ଛାତ୍ରଛାତ୍ରୀ ନାମଲେଖା ପାଇଁ ନିର୍ଦ୍ଧାରିତ ସମୟ ଓ ତାରିଖ ଅନୁସାରେ ଗଣ୍ଡମୁଣ୍ଡା ସ୍ଥିତ ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବେ । ଏମ୍ବିବିଏସ ପାଇଁ ଏସ୍ସିବି, ଏମ୍କେସିଜି ଓ କୋରାପୁଟ ମେଡିକାଲ୍ କଲେଜରେ ନାମଲେଖା ଲାଗି ଛାତ୍ରଛାତ୍ରୀ ୨୨ ତାରିଖର ରିପୋର୍ଟିଂ କରିବେ ।
ସେହିପରି ୨୩ ତାରିଖରେ ବାରିପଦା, କେନ୍ଦୁଝର, ବାଲେଶ୍ୱର, ପୁରୀ ଓ ସୁନ୍ଦରଗଡ଼ ମେଡିକାଲ କଲେଜରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ । ୨୪ରେ ଏସ୍ସିବି ଡେଣ୍ଟାଲ ଓ ହାଇଟେକ୍ ମେଡିକାଲ୍ କଲେଜରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ । ତେବେ ସିଟ୍ ବଳକା ରହିଲେ ଡିସେମ୍ବର ୬ରେ ସ୍ପଟ୍ ନାମଲେଖା ପାଇଁ ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।
Powered by Froala Editor