ଏବେ ଗ୍ରାମାଞ୍ଚଳକୁ ଫୋକସ୍ : କେନ୍ଦ୍ର ଜାରି କଲା ନୂଆ SOP

ଦେଶରେ କରୋନା ସ୍ଥିତି ଉଦବେଗଜନକ ରହିଥିବା ବେଳେ ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପିଲାଣି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କରୋନା ପରିଚାଳନା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ନୂଆ SOP ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ଗ୍ରାମାଞ୍ଚଳ, ଆଦିବାସୀ ଅଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ବ ଦିଆଯାଇଛି । କରୋନା ସ୍ଥିତି ତଦାରଖ ସହ ଡୋର ଡୁ ଡୋର ସ୍କ୍ରିନିଂ, ହୋମ୍ ଆଇସୋଲେସନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ବ ଦିଆଯାଇଛି । ଟେଷ୍ଟିଂ ଉପରେ ଅଧିକ ଫୋକସ୍ ଓ ଗ୍ରାମାଞ୍ଚଳରେ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି ।
କରୋନା ଲକ୍ଷଣ ନ ଥିବା ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ମାମଲା କ୍ଷେତ୍ରରେ ହୋମ୍ ଆଇସୋଲେଶନରେ ରହିବା ସମ୍ଭବ ହେଉ ନଥିଲେ ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ୩୦ ଶଯ୍ୟାବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର, ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ବ୍ୟବସ୍ଥା କରାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ସହରାଞ୍ଚଳରେ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଥିବାବେଳେ ଏବେ ସହରତଳି ଅଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି। ଉକ୍ତ ଅଞ୍ଚଳଗୁଡ଼ିକରେ କୋଭିଡ୍ କଣ୍ଟେନମେଣ୍ଟ ଓ ପରିଚାଳନା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ଜାରି କରାଯାଇଛି। ଏହାଦ୍ୱାରା ପ୍ରାଥମିକ ସ୍ତରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ ହେବା ସହ ସବୁସ୍ତରରେ କରୋନା ମୁକାବିଲାକୁ ତ୍ୱରାନ୍ବିତ କରାଯାଇପାରିବ। କୋଭିଡ୍ କେୟାର ସେଣ୍ଟର (ସିସିସି)ଗୁଡ଼ିକ ଉଭୟ ସନ୍ଦିଗ୍ଧ ଏବଂ ପଜିଟିଭ୍ ମାମଲାକୁ ଅଲଗା ଅଲଗା ରଖିପାରିବେ। ସେମାନଙ୍କ ପାଇଁ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ସେମାନଙ୍କୁ କୌଣସି ପରିସ୍ଥିତିରେ ଏକାଠି ହେବାକୁ ନ ଦେବା ପାଇଁ ଏସ୍ଓପିରେ ପରାମର୍ଶ ଦିଆଯାଇଛି।
ପ୍ରତି ଗ୍ରାମରେ ଆଶା କର୍ମୀମାନେ ଗ୍ରାମ୍ୟ ସ୍ବାସ୍ଥ୍ୟ ପରିମଳ ଓ ପୋଷଣ କମିଟି (ଭିଏଚ୍ଏସ୍ଏନ୍ସି) ସହାୟତାରେ ଇନ୍ଫ୍ଲୁଏଞ୍ଜା ଭଳି ରୋଗ କିମ୍ବା ଅତ୍ୟଧିକ ଶ୍ୱାସକ୍ରିୟାଜନିତ ସଂକ୍ରମଣ ଆଦିର ସକ୍ରିୟ ସର୍ଭେ କରିବେ। ଲକ୍ଷଣ ଥିବା ମାମଲାଗୁଡ଼ିକରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (ସିଏଚ୍ଓ)ଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗ କରି ଗ୍ରାମାଞ୍ଚଳ ସ୍ତରରେ ପ୍ରାଥମିକ ଚିକିତ୍ସା କରାଯାଇପାରିବ। ଯେଉଁମାନଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବ କିମ୍ବା ଅକ୍ସିଜେନ୍ ସ୍ତର କମ୍ ରହିଥିବ, ସେମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇପାରିବ। ଚିହ୍ନଟ ହୋଇଥିବା ସନ୍ଦିଗ୍ଧ କୋଭିଡ ମାମଲାଗୁଡ଼ିକର ସ୍ବାସ୍ଥ୍ୟକେନ୍ଦ୍ରରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା (ଆର୍ଏଟି) କରାଯିବ କିମ୍ବା ନମୁନା ସଂଗ୍ରହ କରାଯାଇ ନିକଟବର୍ତ୍ତୀ କୋଭିଡ୍-୧୯ ପରୀକ୍ଷା ଲାବରେଟୋରିକୁ ପଠାଯିବ। ସିଏଚ୍ଓ ଏବଂ ଏଏନ୍ଏମ୍ମାନଙ୍କୁ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ତାଲିମ ଦିଆଯିବାକୁ ଏସ୍ଓପିରେ କୁହାଯାଇଛି। ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଆଇଡିଏସ୍ପି ଗାଇଡ୍ଲାଇନ ଅନୁଯାୟୀ ଯଥାସମ୍ଭବ କଣ୍ଟାକ୍ଟ ଟ୍ରେସିଂ କରାଯିବ ।
ସହରତଳି ଅଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳ ପାଇଁ ତ୍ରିସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଜନା କରାଯାଇଛି। କୋଭିଡ୍ କେୟାର ସେଣ୍ଟର(ସିସିସି)ଗୁଡ଼ିକ ସାମାନ୍ୟ କିମ୍ବା ଆଦୌ ଲକ୍ଷଣ ନ ଥିବା ମାମଲାର ଚିକିତ୍ସା କରିବାକୁ ଥିବାବେଳେ ଡେଡିକେଟେଡ୍ କୋଭିଡ୍ ହେଲ୍ଥ ସେଣ୍ଟର (ଡିସିଏଚ୍ସି)ଗୁଡ଼ିକ ମଧ୍ୟମ ମାମଲା ଏବଂ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ (ଡିସିଏଚ୍) ଗୁରୁତର ମାମଲାଗୁଡ଼ିକ ପରିଚାଳନା କରିବ। ସିସିସିଗୁଡ଼ିକରେ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ (ବିଏଲ୍ଏସ୍ଏ) ରହିବ, ଯେଉଁଥିରେ ୨୪ ଘଣ୍ଟା ପର୍ଯ୍ୟାପ୍ତ ଅକ୍ସିଜେନ ଉପଲବ୍ଧ ହେବ। ଏହିସବୁ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସବ୍ଡିଷ୍ଟ୍ରିକ୍ଟ ହସ୍ପିଟାଲଗୁଡ଼ିକ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ ସେଣ୍ଟର ବ୍ୟବସ୍ଥା କରିବେ। ଡିସିଏଚ୍ସିରେ ଅନୂ୍ୟନ ୩୦ ଶଯ୍ୟା ପାଇଁ ଯୋଜନା କରାଯାଇପାରିବ। ମାମଲା ବଢ଼ିଲେ କିମ୍ବା ବଢ଼ିବା ସମ୍ଭାବନା ଥିଲେ ଜିଲା କର୍ତ୍ତୃପକ୍ଷ ଉକ୍ତ ଶଯ୍ୟା ବଢ଼ାଇବା ବ୍ୟବସ୍ଥା କରିବେ। ଉକ୍ତ ସେଣ୍ଟରଗୁଡ଼ିକ ମଧ୍ୟମ ଲକ୍ଷଣ ଥିବା ରୋଗୀ (ଯେଉଁମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବେ, ମିନିଟ ପ୍ରତି ଶ୍ୱାସକ୍ରିୟା ହାର ୨୪ରୁ ଅଧିକ ଥିବ ଓ ସାଚୁରେଶନ ୯୦ରୁ ୯୪ ମଧ୍ୟରେ ରହୁଥିବ)ଙ୍କ ଚିକିତ୍ସା କରିବେ। ସେହିପରି ଜିଲା ହସ୍ପିଟାଲ କିମ୍ବା ଅନ୍ୟ ସ୍ବୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲରେ ପରିଣତ କରାଯିବାକୁ କୁହାଯାଇଛି। ଏହାବ୍ୟତୀତ ଉପଖଣ୍ଡ କିମ୍ବା ବ୍ଲକ୍ ସ୍ତରରେ ଥିବା ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିଲେ ଏହାକୁ ଡେଡିକେଟେଡ କୋଭିଡ୍ ହସ୍ପିଟାଲରେ ପରିଣତ କରାଯାଇପାରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍ଓପିରେ କୁହାଯାଇଛି।
Powered by Froala Editor