ଗଲୱାନ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମଥର ହାତ ମିଳାଇଲେ ମୋଦି-ଜିନପିଙ୍ଗ
ଲଦାଖ ସୀମା ବିବାଦ ଓ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମଥର ହାତ ମିଳାଇଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡୋନେସିଆର ବାଲି ଦ୍ବୀପଠାରେ ଚାଲିଥିବା ଜି-୨୦ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭେଟ ହୋଇଛି ।
ବିଶ୍ୱ ନେତାଙ୍କ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଡିନର ପାର୍ଟିର ଆୟୋଜନ କରିଥିଲେ। ଏହି ଡିନର ପାର୍ଟିରେ ମୋଦି ଓ ଜିନପିଙ୍ଗ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି। ବେଶ କିଛି ମିନିଟ୍ ପାଇଁ ଉଭୟ ନେତା କଥା ହେଉଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଏହି ଡିନିର ପାର୍ଟିରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନଙ୍କୁ ମଧ୍ୟ ଭେଟିଛନ୍ତି। ତେବେ ମଙ୍ଗଳବାର ହୋଇଥିବା ସାକ୍ଷାତ କେବଳ ଏକ ସଂକ୍ଷିପ୍ତ ତଥା ଅଣଔପଚାରିକ ସୌଜନ୍ୟମୂଳକ ସାକ୍ଷାତ ଥିଲା ।
ଏହାପୂର୍ବରୁ ମୋଦି ଓ ଜିନପିଙ୍ଗ ସମରକନ୍ଦରେ ଆୟୋଜିତ ଏସ୍ସିଓ ବୈଠକରେ ଯୋଗ ଦେଇଥିଲେ। ଲଦାଖ ବିବାଦ ପରେ ଦୁଇ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। କିନ୍ତୁ ସେହି ସମୟରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା କିମ୍ବା ହ୍ୟାଣ୍ଡଶେକ ହୋଇ ନଥିଲା।
Powered by Froala Editor