ଗାଁ ଲୋକେ ଆତଙ୍କିତ..., ଦୁଇ ସପ୍ତାହରେ ୩୦ଜୀବନ ନେଲା କରୋନା!
ଡେରାଡୁନ୍: ପ୍ରଥମେ ଜ୍ୱର, କାଶ । ପରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା । ଆଉ କିଛି ସମୟ ପରେ ମୃତ୍ୟୁ । ଏମିତି ଗୋଟିଏ ପରେ ଗୋଟେ ଜୀବନ ଅକାଳରେ ଚାଲି ଯାଉଛି । କେହି କିଛି ବୁଝିବା ଆଗରୁ ଜୀବନ ଦୀପ ଲିଭି ଚାଲିଛି । ଦୁଇ ସପ୍ତାହ ଭିତରେ ୩୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲାଣି । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ ରୋରକୀ ଜିଲ୍ଲାର ଲିବେରହେର ଗାଁରେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସେପଟେ ଗାଁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ତୁରନ୍ତ ଚିକିତ୍ସା ଯୋଗାଇ ନଦେଲେ ଆହୁରି ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବ ବୋଲି ଆଶଙ୍କା କରାଯାଉଛି ।
ରୋରକୀର ଯୁଗ୍ମ ମାଜିଷ୍ଟ୍ରେଟ ନମାମୀ ବଂଶଲ କହିଛନ୍ତି, ଲିବେରହେର ଗାଁରେ କିଛି ଲୋକ ପ୍ରାଣ ହରାଇଛନ୍ତି । ହେଲେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ କରୋନା ବୋଲି ଆମେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନୁ । ଏନେଇ ତଦନ୍ତ କରାଯାଉଛି । ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
ଶ୍ରୀ ବଂଶଲ କହିଛନ୍ତି, ଏହି ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନ ଲିବେରହେର ଗାଁରେ ଟେଷ୍ଟିଂ ପ୍ରକ୍ରିୟାକୁ ଜୋରଦାର୍ କରାଯାଉଛି । ଘର ଘର କରି ଲୋକମାନଙ୍କ ପରୀକ୍ଷା ହେଉଛି । ସେହିଭଳି ଗାଁରେ କେତେ ଲୋକ ପ୍ରକୃତରେ ପ୍ରାଣ ହରାଇଛନ୍ତି ସେକଥା ଏବେ କହି ହେବନି । ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଗାଁକୁ ଯାଇ ମୃତ୍ୟୁର କାରଣ ଖୋଜିବା ଆରମ୍ଭ କରିଛନ୍ତି ।
କିଛି ଦିନ ତଳେ ଗାଁକୁ ମହାରାଷ୍ଟ୍ରରେ କାମ କରୁଥିବା ଲୋକମାନେ ଫେରିଥିଲେ । ସେମାନଙ୍କଠାରୁ ହିଁ ଗାଁର ଅନ୍ୟମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଗାଁର ଜନସଂଖ୍ୟା ହେଉଛି ପ୍ରାୟ ୧୨ ହଜାର । ଅଧିକାଂଶ ଶ୍ରମିକ ଶ୍ରେଣୀର । ସେମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ଅନ୍ୟ ରାଜ୍ୟରେ କାମ କରନ୍ତି । ଏବେ ଲକଡାଉନ୍ ଯୋଗୁଁ ସେମାନେ ଗାଁକୁ ଫେରିଛନ୍ତି । ତେଣୁ କରୋନା ସଂକ୍ରମଣକୁ ମଧ୍ୟ ଏଡ଼ାଇ ଦେଇ ହେବନି ।
ମେ ୧୦ରେ ଗାଁରେ ଆର୍ଟି-ପିସିଆର ଟେଷ୍ଟିଂ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ୭୧ ଜଣ ଟେଷ୍ଟ କରିଥିବା ବେଳେ ୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଗାଁର ଅନ୍ୟ ଲୋକମାନେ ଟେଷ୍ଟିଂ କରିବାକୁ ଆସିନଥିଲେ । ଏବେ ଲୋକମାନଙ୍କୁ ପ୍ରଶାସନ ବୁଝାସୁଝା କରିବା ସହିତ ଘରେ ଘରେ କରୋନା ପରୀକ୍ଷା କରିବାକୁ ଉଦ୍ୟମ ଜାରି ରହିଛି । ସେହିଭଳି ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କ ଚିକିତ୍ସା ଜାରି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor