ରାଷ୍ଟ୍ରପତିଙ୍କ ବିଷୟରେ ଟିପ୍ପଣୀ ଦେଇ ଭୁଲ ମାଗିଲେ ଟିଏମ୍ସି ନେତା
ଆମ ରାଷ୍ଟ୍ରପତି ଦେଖିବାକୁ କେମିତି ? ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଏଭଳି ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅଖିଳ ଗିରି । ମନ୍ତ୍ରୀଙ୍କ ଟିପ୍ପଣୀ ପରେ ତାଙ୍କୁ ସମାଲୋଚନା କରିବା ସହ ଘଟଣାକୁ ନିନ୍ଦା କରାଯାଇଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମନ୍ତ୍ରୀ ଅଖିଳ ଗିରିଙ୍କୁ ସମାଲୋଚନା କରିଛନ୍ତି । ସେହିପରି ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଗିରିଙ୍କ ବୟାନର ଭିଡିଓ ଭାଇରାଲ ହେବା ପରେ ସେ କ୍ଷମା ମାଗି ଅନୁତାପ କରିଛନ୍ତି।
ସାମ୍ନାକୁ ଆସିଥିବା ୧୭ ସେକେଣ୍ଡ ଭିଡିଓରେ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିବା ଶୁଣିବାକୁ ମିଳିଛି। ସେ କହିଥିଲେ ଯେ “ସେମାନେ(ବିଜେପି) କହୁଛନ୍ତି ମୁଁ ଦେଖିବାକୁ ସୁନ୍ଦର ନୁହେଁ। ହେଲେ ଆମେ ଲୋକଙ୍କୁ ସେମାନଙ୍କ ରୂପରୁ ଚିହ୍ନଟ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ। କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?” ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଗିରି ଏପରି କଥା କହୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା।
ଟିଏମସି ଏହାକୁ ଦାୟିତ୍ୱହୀନ ବୟାନ କହିଥିଲା। ଟିଏମସି ମୁଖପାତ୍ର ସକେତ ଗୋଖେଲ କହିଥିଲେ ଯେ “ଏହା ଏକ ଦାୟିତ୍ୱହୀନ ମନ୍ତବ୍ୟ ଓ ଏହା କେବେ ହେଲେ ଟିଏମସିର ଦଳର ବୟାନ ହୋଇ ନପାରେ। ଆମେ ଭାରତର ରାଷ୍ଟ୍ରପତିଙ୍କ ପାଇଁ ଅତ୍ୟନ୍ତ ଗର୍ବିତ। ଆମେ ସବୁବେଳେ ରାଷ୍ଟ୍ରପତି ଓ ତାଙ୍କ ଅଫିସକୁ ସର୍ବୋଚ୍ଚ ସମ୍ମାନ ଦେଉ।”
Powered by Froala Editor