ହିମାଚଳ ପ୍ରଦେଶ ମତଦାନ: ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଜୋରଦାର ଟକ୍କର
ଶିମଲା: ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଚାଲୁ ରହିବ । ଏହି ପାହାଡି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ରାଜ୍ୟର ୬୮ ଟି ନିର୍ବାଚନମଣ୍ଡଳୀରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି । ସେଥିମଧ୍ୟରୁ ୭୮୯ ଟି ସମ୍ବେଦନଶୀଳ ଏବଂ ୩୯୭ ଟି ଅତ୍ୟନ୍ତ ସମ୍ବେଦନଶୀଳ ମତଦାନ କେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି । ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ହିମାଚଳ ପ୍ରଦେଶର ଜନାଦେଶ ।
ହିମାଚଳ ପ୍ରଦେଶରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଜୋରଦାର ଟକ୍କର ହେଉଛି। ଏହି ଟକ୍କରରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତ୍ୟପାଲ ସିଂ ସତୀ ଅଛନ୍ତି। ହିମାଚଳ ପ୍ରଦେଶରେ ବିଜେପି ନିଜ ଗାଦି ବଜାୟ ରଖିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର। ଏଥିସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିବ ବୋଲି ବି ସେ କହିଛନ୍ତି ।
ହିମାଚଳ ପ୍ରଦେଶରେ ସିଧାସଳଖ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବାବେଳେ ଏଥର ତୃତୀୟ ଦଳ ଭାବେ ଆପ୍ ଉଭା ହୋଇଛି। ହିମାଚଳରେ ଶକ୍ତି ବଜାୟ ରଖିବାକୁ ବିଜେପି କଠିନ ପରିଶ୍ରମ କରୁଥିବାବେଳେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଗାଦିକୁ ଫେରିବାକୁ କଠିନ ପରିଶ୍ରମ କରିଛି। ହେଲେ ପଞ୍ଚାବରେ କ୍ଷମତାକୁ ଆସିଥିବା ଆପ୍ ଏଥର ହିମାଚଳ ପ୍ରଦେଶକୁ ନେଇ ଖୁବ୍ ଉତ୍ସୁକ ଅଛି।
Powered by Froala Editor