ଦୋଷ ଏତିକି ଥିଲା, ଦଳିତ ହୋଇ ନଳକୂଅ ଛୁଇଁଦେଲା

ଦଳିତ ଯୁବକ ନଳକୂଅ ଛୁଇଁଦେଲା । ବାସ୍ ସେତିକି କଥାରେ ମୁଣ୍ଡକୁ ପିତ୍ତ ଚଢିଗଲା । ୩ ଯୁବକ ମିଶି ଦଳିତ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଇଛନ୍ତି । ଏ କଥା କୌଣସି ଫିଲ୍ମର ନୁହେଁ । ବାସ୍ତବ ଜୀବନରେ ଘଟିଛି ଏଭଳି ଅମାନବୀୟ କାଣ୍ଡ । ରାଜସ୍ଥାନର ଜୋଧପୁରରେ ଏ ଅଭାବନୀୟ ଘଟଣା ଘଟିଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।
ମୃତକଙ୍କ ଭାଇ ଅଶୋକ ବିିଲଙ୍କ ଅଭିଯୋଗ ମୁତାବକ, ଭୋମିଆ ଘାଟିରେ ସୁରଜ ବେରାଙ୍କ ପାଖରେ ଏକ ନଳକୂଅ ରହିଛି। ଏଥିରେ ଏକ ମୋଟର ଲଗାଯାଇଛି। ଶକିଲ, ନାସିର ଏବଂ ବବଲୁ ଏହି ମୋଟରକୁ ଦଖଲ କରିଛନ୍ତି। ଅଶୋକ ଅଭିଯୋଗ କରିଛନ୍ତି ଯେ ଏହି ଲୋକମାନେ ଅନ୍ୟ କୌଣସି ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପାଣି ଭରିବାକୁ ଦିଅନ୍ତି ନାହିଁ। ଯଦି କେହି ଚେଷ୍ଟା କରେ, ତେବେ ତାଙ୍କ ପାଇପ୍ କାଟିଦିଅନ୍ତି। ୪୬ ବର୍ଷୀୟ କିଶାନଲାଲ ବିଲ୍ ରବିବାର ରାତିରେ ପାଇପ ଆଣିବାକୁ ଯାଇଥିଲେ, ସେତେବେଳେ ଗାଳିଗୁଲଜ ଦେଇ ତାଙ୍କୁ ଘଉଡାଇ ଦିଆଯାଇଥିଲା। ଏହାପରେ ସେମାନେ ଆସି କିଶନଲାଲ ଓ ତାଙ୍କ ପୁଅକୁୁ ଘରେ ଆକ୍ରମଣ କରିଥିଲେ। ସେ ଗୁରୁତର ହେବା ପରେ ତାକୁ ହସ୍ପିଟାଲ ବି ନେବାକୁ ଦେଇନଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର କିଶନଲାଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଏ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁନିଆ ଯେତେ ଉନ୍ନତି କଲେ ବି ଜାତିଆଣ ମନୋଭାବ ଜୀବନ ନେଉଛି । ନୀଚ୍ଚ ଜାତି କହି ଲୋକଙ୍କୁ ଘୃଣା କରାଯାଉଛି । ଯାହାକି ସମାଜ ପାଇଁ ଏକ ବ୍ୟାଧି ସୃଷ୍ଟି କରିଛି ।
Powered by Froala Editor