ଭାରତର ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ହାଇ ଆଲର୍ଟ ମୋଡ୍ରେ ଅଛନ୍ତି। ନୌସେନା ଶନିବାର ଏକ ଆଦେଶ ଜାରି କରି ନିଜର ସମୁଦ୍ର କ୍ଷେତ୍ରକୁ ପାକିସ୍ତାନ ନିମନ୍ତେ ବନ୍ଦ କରିଦେଇଛି। ଆଦେଶ ଅନୁସାରେ କୌଣସି ଜାହାଜ ଯେଉଁଥିରେ ପାକିସ୍ତାନୀ ପତାକା ଲାଗିଛି ତାହା ଭାରତର କୌଣସି ବନ୍ଦରକୁ ଯାଇ ପାରିବନି।
ଭାରତୀୟ ପତାକା ଉଡ଼ାଉଥିବା କୌଣସି ଜାହାଜ ପାକିସ୍ତାନର କୌଣସି ବନ୍ଦରକୁ ଯିବ ନାହିଁ। ଭାରତ ସରକାରଙ୍କ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଭାରତ ଶନିବାର ପାକିସ୍ତାନ ସହ ଆମଦାନୀ ଓ ରପ୍ତାନୀ ଉପରେ ମଧ୍ୟ ରୋକ ଲଗାଇ ଦେଇଛି। ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ନେଇ ନୋଟିଫିକେସନ ଜାରି କରିଛନ୍ତି। ଆଦେଶରେ ଏବେ ପାକିସ୍ତାନ ସହ କୌଣସି ପ୍ରକାରର ବାଣିଜ୍ୟ ଚାଲିପାରିବନି ବୋଲି କୁହାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ସମ୍ପର୍କରେ ଏ ବିଜ୍ଞପ୍ତି ଜାରି କରିଛି।
Powered by Froala Editor