ତାଣ୍ଡବ କରୁଛି ତଉକ୍ତେ : ୭୩ ଗାଁ ଧ୍ୱସ୍ତ ବିଧ୍ୱସ୍ତ, ୮ ଜଣଙ୍କ ମୃତ୍ୟୁ

ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି ତାଉକତେ । ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଉଚ୍ଚ ଜୁଆର ଆସୁଛି। ଏହାର ପ୍ରଭାବରେ କର୍ଣ୍ଣାଟକ ଓ ଗୋଆରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗୋଆ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗୋଆରେ ଗଛପଡିବାରୁ ଗୁରୁତର ଆହତ ଜଣେ ବ୍ୟକ୍ତିର ହସ୍ପିଟାଲରେ ମୃତ୍ୟୁ ହୋଇଛି। ପ୍ରାୟ ଶହେଟି ବଡ ଘର ଏବଂ ଶହେଟି ଛୋଟ ଛୋଟ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ ସରାବରାହ ମଧ୍ୟ ଅନେକ ସ୍ଥାନରେ ବନ୍ଦ ରହିଛି।
ଗତକାଲି (ଶନିବାର) କର୍ଣ୍ଣାଟକରେ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଝଡ। ପାଖାପାଖି ୬ଟି ଜିଲ୍ଲାରେ ୭୩ଟି ଗାଁ ବିଧ୍ୱସ୍ତ ହୋଇଥିବା ସହ ୪ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କେରଳରେ ମଧ୍ୟ ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ କେରଳର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି।
ତାଉକତେ ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ୧୦୧ ଏନଡିଆରଏଫ୍ ଟିମ୍ ଆଲର୍ଟରେ ରହିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ୬ଟି ରାଜ୍ୟ କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ସମେତ ଡାମନ ଡିଉରେ ଏସବୁ ଟିମ୍ ମୁତୟନ ରହିଛନ୍ତି। ଏହା ସହ ଅନ୍ୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରେସକ୍ୟୁ ସହ ଏୟାର ଲିଫ୍ଟ ପାଇଁ ୨୨ଟି ଟିମ୍ ଆଲର୍ଟରେ ରଖାଯାଇଥିବା ଏନଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିପର୍ଯ୍ୟୟ ନିୟନ୍ତ୍ରଣର ଦାୟିତ୍ୱ ନିଜେ ସମ୍ଭାଳିଥିବା ବେଳେ ରବିବାର ମଧ୍ୟାହ୍ନରେ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟମାନଙ୍କ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି। ଭର୍ଚୁଆଲ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ସମସ୍ତ ପ୍ରଭାବିତ ରାଜ୍ୟଙ୍କୁ ଯଥା ସମ୍ଭବ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକ ପଡିଲେ ପ୍ରଭାବିତ ରାଜ୍ୟମାନଙ୍କୁ ଏନଡିଆରଏଫ ଅତିରିକ୍ତ ଟିମ୍ ପଠେଇବେ ବୋଲି ମଧ୍ୟ ଶାହ କହିଛନ୍ତି।
Powered by Froala Editor