ଚିନ୍ତାର କାରଣ ହୋଇଛି ବ୍ଲାକ ଫଙ୍ଗସ ସଂକ୍ରମଣ
ନୂଆଦିଲ୍ଲୀ : କରୋନା ରୋଗୀଙ୍କଠାରେ ମ୍ୟୁକୋର୍ମାଇକୋସିସ ବା ବ୍ଲାକ ଫଙ୍ଗସ ସଂକ୍ରମଣ ବଢ଼ିବା ଏବେ ଚିନ୍ତାର କାରଣ ହୋଇଛି । ଏହି ପରୀପ୍ରେକ୍ଷୀରେ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ)ର ନିଦେ୍ର୍ଧଶକ ଡ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ବିଭିନ୍ନ ଷ୍ଟେରୋଇଡର ଦୁରୁପଯୋଗ ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ ଏହା ଗ୍ରହଣ କରିବା ବିପଜ୍ଜନକ ହୋଇଛି । ଅନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା କରୋନା ପଜିଟିଭ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରୋଇଡର ଭୁଲ ପ୍ରୟୋଗ ବ୍ଲାକ ଫଙ୍ଗସ ସମସ୍ୟା ବଢ଼ାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି । ଭାରତରେ ଏବେ କରୋନା ଟିକାର ଘୋର ଅଭାବ ରହିଛି । ଏ ଦିଗରେ ବ୍ୟାପକ ସତର୍କତା ଅବଲମ୍ବନ ଜରୁରୀ ବୋଲି ସେ କହିଛନ୍ତି । ଦେଶର ଟିକା ସଂକଟ ଆସନ୍ତା ଦୁଇମାସରେ ଦୂର ହୋଇଯିବ ବୋଲି ଗୁଲେରିଆ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଭାରତରେ ଆସନ୍ତା ଦୁଇମାସରେ ଟିକା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବାର କାରଣ ହେଲା ଟିକା ନିର୍ମାତାମାନେ ଏହି ସମୟ ମଧ୍ୟରେ ଆମ ଦେଶରେ ଟିକା ଉତ୍ପାଦନ ଆରମ୍ଭ କରିଦେବେ । ଏଥିସହିତ ବିଦେଶରୁ ମଧ୍ୟ ଟିକା ଆମଦାନି ଜାରି ରହିବ । ତେବେ ଗୁଲେରିଆ ଏହା ସ୍ୱୀକାର କରିଛନ୍ତି ଯେ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଟିକାର ଅଭାବ ସବୁବେଳେ କିଛି ନା କିଛି ମାତ୍ରାରେ ରହିବ । ଡାକ୍ତର ଗୁଲେରିଆ କହିଛନ୍ତି, ଭାରତରେ କୋଭିସିଲଡ, କୋଭାକ୍ସିନ ଏବଂ ସ୍ପୁଟନିକ- ଭି ଟିକା ଅଧିକରୁ ଅଧିକ ସଂଖ୍ୟାରେ ଉପଲବ୍ଧ ହୋଇପାରିବ । ଭାରତରେ ସ୍ପୁଟନିକ ଭି ଟିକା ଉତ୍ପାଦନ ପାଇଁ ରୁଷିଆ କମ୍ପାନି ଦେଶର ବିଭିନ୍ନ କମ୍ପାନି ସହିତ କଥାବାର୍ତ୍ତା ଚଳାଇଛି । ଏଥିସହିତ କୋଭିସିଲଡ ଏବଂ କୋଭାକ୍ସିନ ଟିକା ଉତ୍ପାଦନ ପାଇଁ ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକ ନୂଆ ପ୍ଲାଣ୍ଟ ବସାଇବା କାମ ଆରମ୍ଭ କରିଛନ୍ତି । ଜୁଲାଇ, ଅଗଷ୍ଟ ସୁଦ୍ଧା ଆମ ନିକଟରେ ଅଧିକ ପରିମାଣରେ ଟିକା ଉପଲବ୍ଧ ହେବ ବୋଲି ଗୁଲେରିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
Powered by Froala Editor